ଗୋଚର ଚାଷ ଜମିରେ ଗୋରୁ ଚରାଇ ଚାଷ ନଷ୍ଟ କଲେ ଗ୍ରାମବାସୀ

କର୍ଲାମୁଣ୍ଡା,ଏନ୍‌ଏନ୍‌ଏସ୍: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ବୋରପଦର ଗ୍ରାମର ଗୋଚର ଜମିକୁ କିଛି ବ୍ୟକ୍ତି ଜବରଦସ୍ତ ଅକ୍ତିଆର କରି ଧାନଚାଷ କରିଥିଲେ। ଏହି ଧାନ ଚାଷକୁ ଗୁରୁବାର ଦିନ ଗାଁ’ର ଅନେକ ଯୁବ ଚାଷୀ ମାନେ ଗୋରୁ ଚରାଇ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ଗାଁ’ରେ ଗାଈ ଗୋରୁ, ଛେଳି, ମେଣ୍ଢା ବା ପଶୁ ସମ୍ପଦକୁ ଚରାଇବା ପାଇଁ ଚାଷୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଫଳରେ ଅନେକ ପରିବାର ପଶୁ ସମ୍ପଦ ଶୁନ୍ୟ ହେଉଥିଲା। ଏହାକୁ ଆଖି ଆଗରେ ରଖି ଗତ ବର୍ଷରୁ ଗ୍ରାମବାସୀ ମାନେ ଗୋଚର ଜମିରେ ଚାଷ କରିଥିବା ଚାଷୀ ମାନଙ୍କୁ ବୁଝାଇବା ସହ କର୍ଲାମୁଣ୍ଡା ତହସିଲଦାର, ରାଜସ୍ବ ବିଭାଗ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ଗୋଚର ଜମିକୁ ଅକ୍ତିଆର କରିଥିବା ଚାଷୀ ମାନେ ଆସନ୍ତା ବର୍ଷ ଗୋଚର ଜମିରେ ଚାଷ ନକରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଗ୍ରାମବାସୀଙ୍କୁ।

ଚଳିତ ବର୍ଷ ସେହି ଗୋଚର ଜମିକୁ କେତେକ ମୃଷ୍ଟିମେୟ ଲୋକ ବନ୍ଧକ ଦେଇଥିବା ଜଣାପଡିବା ପରେ ବୋରପଦର ଗ୍ରାମର ଅନେକ ଯୁବ ଚାଷୀ ମାନେ ଧାନ ଚାଷ କରାଯାଇଥିବା ଜମିରେ ଗୋରୁ ଛାଡି ଚାଷ ନଷ୍ଟ କରିଦେଇଥିବା ଜଣାପଡିଛି।