ବଜ୍ରପାତରେ ୧୦ ଛାତ୍ରୀ ଆହତ, ୭ ଜଣ ଗୁରୁତର

ଦେବଗଡ଼,ଏନ୍‌ଏନ୍‌ଏସ୍‌: ତିଳେଇବଣି ବ୍ଲକ୍‌ ବଡ଼ଛାପଲ ପଞ୍ଚାୟତ ଅନ୍ତର୍ଗତ କୁଟରାପଶି ପ୍ରାଥମିକ ବିଦ୍ୟାଳୟରେ ଆଜି ମଧ୍ୟାହ୍ନ ଗୋଟାଏରେ ବଜ୍ରପାତ ଘଟି ୧୦ ଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଥିବା ଜଣାପଡିଛି। ଗୁରୁତର ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ଛାତ୍ରୀମାନେ ଲିକି ପେଣ୍ଠେଇ, ଭବାନୀ ଦେହୁରୀ, ପପିନା ସାହୁ, ଧରିତ୍ରୀ ସାହୁ, ଶାଳିନୀ ସାହୁ ଓ ଶାଳିନୀ ଦେହୁରୀ।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଥିଲା। ସୂଚନାପାଇ ଏସ୍‌ପି ପ୍ରମୋଦ କୁମାର ରଥ ମୁଖ୍ୟ ଚିକିତ୍ସାଳୟକୁ ଆସି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସେହିପରି ଜିଲ୍ଲାପାଳ ସୌମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶରେ ଦେବଗଡ଼ ତହସିଲଦାର ପଲ୍ଲବୀ ନାୟକ, ତିଳେଇବଣି ବ୍ଲକ ଭାରପ୍ରାପ୍ତ ବିଡ଼ିଓ ସୁନୀଲ ଗୁରୁ, ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରାଙ୍କ ସମେତ ଶିକ୍ଷା ବିଭାଗର ବହୁ ଅଧିକାରୀ ଉପସ୍ଥିତ ରହିଛନ୍ତି। ବଜ୍ରପାତର ପ୍ରଭାବ ଏତେ ଜୋର ଥିଲା ଯେ ବିଦ୍ୟାଳୟର ଛାତ କଣା ହୋଇ ସିଲିଂରୁ ପ୍ଳାଷ୍ଟର ଖସି ପଡିଥିଲା। ତେବେ ବର୍ତ୍ତମାନ ଚିକିତ୍ସାଧୀନ ଛାତ୍ରଛାତ୍ରୀ ମାନେ ବିପଦମୁକ୍ତ ଥିବା ଜଣାପଡିଛି।

ସୂଚନାପାଇ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ ଡାକ୍ତରଖାନାରେ ପହଞ୍ଚି ଗୁରୁତର ଛାତ୍ରଛାତ୍ରୀଙ୍କୁ କୋଳେଇ ବର୍ହି ବିଭାଗରେ ଭର୍ତ୍ତି କରିଥିବା ବେଳେ ପୌରାଧକ୍ଷା ଶାନ୍ତି ମଞ୍ଜରୀ ଦେଇ, ଉପନଗରପାଳ ପ୍ରଜିତ କୁମାର ଭୋଜ, ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ହ୍ୟାପି ଟୁ ହେଲ୍ପର ସଦସ୍ୟ ମାନେ ଡାକ୍ତରଖାନାରେ ପହଞ୍ଚି ଗୁରୁତର ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରିଥିଲେ।