ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ ଅନ୍ତର୍ଗତ ଗଣ୍ଡପତ୍ରାପାଲି ପଞ୍ଚାୟତ ନିକଟସ୍ଥ ନୂଆଭଦ୍ରା ଗ୍ରାମବାସୀ ଦୀର୍ଘ ଦିନ ହେଲା ମୁଖ୍ୟ ରାସ୍ତାକୁ ବାହାରିବା ପାଇଁ ଦୁଇଟି ରାସ୍ତାର ବ୍ୟବହାର କରୁଥିଲେ। ଗୋଟିଏ ରାସ୍ତା ବସ୍ତି ଭିତରୁ ଫପସି ଛକକୁ ଓ ଅନ୍ୟଟି ଭିଆଇପି ଛକକୁ ଥିବା ବେଳେ ଉକ୍ତ ରାସ୍ତାକୁ ଗାଁ’ର ୨୫୦ ପରିବାର ଯାତାୟତ ପାଇଁ ନିର୍ଭର କରନ୍ତି। ଭିଆଇପି ଛକକୁ ଥିବା ରାସ୍ତା ଟିକୁ ଅଶୋକ ସିଂହା ନାମକ ଉକ୍ତ ଗାଁ’ର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଉଷା ସିଂହା ନାମରେ ଥିବା ଦର୍ଶାଇ ଉକ୍ତ ରାସ୍ତାରେ କୌଣସି ସରକାରୀ ଯୋଜନାରେ ସାମିଲ ନକରିବା ପାଇଁ ବିରୋଧ କରିଛନ୍ତି।
ଫଳରେ ସରକାରୀ ଅବଦାନରେ ଟଙ୍କା ଆସୁଥିବା ରାସ୍ତାରେ କାମ ନକରାଇ ଦେଉଥିବାରୁ ତାହା ବିପଦ ସଂକୁଳ ଅବସ୍ଥାରେ ଅଛି ଓ ପ୍ରାୟ ୨୫୦ ପରିବାର ଏହା ଦ୍ବାରା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ରାସ୍ତା ନଥିବାରୁ ବର୍ଷାଦିନେ ନାହିଁ ନଥିବା ସମ୍ମୁଖୀନ ହେଉଛନ୍ତି। ତେବେ ଆଜି ଗଣ୍ଡପତ୍ରାପାଲି ସରପଞ୍ଚ ମନୀଷ ସୁନାଙ୍କ ନେତୃତ୍ୱରେ ଗ୍ରାମର ଶତାଧିକ ଲୋକେ ତହସିଲ କାର୍ୟ୍ୟାଳୟକୁ ଆସି ତହସିଲଦାର ସୁରେନ୍ଦ୍ର ମେହେରକୁ ଲିଖିତ ଭାବରେ ଅଭିଯୋଗ କରିବା ସହ ତୁରନ୍ତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅନୁରୋଧ କରିଛନ୍ତି।
ଯଦି ୭ ଦିନ ମଧ୍ୟରେ ରାସ୍ତାର ସମାଧାନ ନହୁଏ ଅଗାମୀ ଦିନରେ ଗାଁ ଲୋକଙ୍କ ସହ ଯୁବ ସରପଞ୍ଚ ମନୀଷ ସୁନାଙ୍କ ନେତୃତ୍ୱରେ ଜାତୀୟ ରାଜପଥ ଅବରୋଧ କରିବା ପାଇଁ ଚେତାବନୀ ଦେଇଛନ୍ତି। ଏନେଇ ତହସିଲଦାର ଶ୍ରୀଯୁକ୍ତ ମେହେରଙ୍କୁ ପଚାରିବାରୁ ଆରଆଇଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ତାହାର ସମାଧାନ ହେବ ବୋଲି କହିଛନ୍ତି। ଏଥିରେ ଅମିତ ଦୀପ, ବିନୟ ମୁନା, ଦେବ ମହାନନ୍ଦ, ତରଣୀ ସେନ ମହାପାତ୍ର, ଧ୍ରୁବ ଚରଣ ବେହେରା, ରାକେଶ ବେହେରା, ଇମ୍ରାନ ଖାନ ପ୍ରମୁଖ ଉପସ୍ଥିତ ଥିଲେ।