ପାଟଣାଗଡ଼ରେ ନାବାଳକ ଅପହରଣ ଅଭିଯୋଗ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ଟ୍ରିକାପଡ଼ା ଥାନା ଅନ୍ତର୍ଗତ ଦେଓଗାଁର ଅନାବ ପୁଟେଲଙ୍କ ପୁଅ ଦେବଦତ୍ୟ ପୁଟେଲଙ୍କ ଅପହରଣ ଉଦ୍ୟମ ନେଇ ଅଭିଯୋଗ ହୋଇଛି । ମିଳିଥିବା ରିପୋର୍ଟ ମୁତାବକ, ଅନାବ ପୁଟେଲଙ୍କ ପରିବାର ଲୋକେ ବିଲରେ କାମ କରୁଥିବାବେଳେ ତାଙ୍କର ୧୦ ବର୍ଷର ପୁଅ ଦେବତୁଲ୍ୟ ରାସ୍ତାକଡ଼ରେ ପିଜୁଳି ଗଛ ନିକଟରେ ପିଜୁଳି ଖାଉଥିଲା । ଏହି ସମୟରେ ୨ଜଣ ଦୁବୃର୍ତ୍ତ ଏକ ମୋଟରସାଇକେଲରେ ଆସି ଦେବଦତ୍ୟକୁ ଉଠାଇ ନେଇ ବେଲପଡ଼ାକୁ ଆଣୁଥିଲେ । ସେହି ସମୟରେ ରାସ୍ତାରେ ଦେବଦତ୍ୟ ଚିତ୍କାର କରିବାରୁ ତାକୁ ସେଠାରେ ଫିଙ୍ଗି ଦେଇ ଦୁର୍ବୁତ୍ତ ଫେରାର ହୋଇଯାଇଥିଲେ । କିଛି ଲୋକ ପଡ଼ିଥିବା ପିଲାଟିକୁ ଉଦ୍ଧାର କରି ଖାଇବାକୁ ଦେଇ ପରିଚୟ ପଚାରିଥିଲେ । ପରେ ବେଲପଡ଼ା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ଖବର ପାଇ ପରିବାର ଲୋକ ବେଲପଡ଼ା ଆସିବା ସହ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଦେବଦତ୍ୟକୁ ପ୍ରଥମେ ବେଲପଡ଼ା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ ପାଟଣାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ୨ଜଣ ଲୋକ ହିନ୍ଦି ଭାଷାରେ କଥା ହେଉଥିଲେ ବୋଲି ଦେବତୁଲ୍ୟ କହିଛି । ତେବେ ବେଲପଡ଼ା ପୁଲିସ ଉକ୍ତ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।