ଜମିବାଡ଼ି ବିବାଦକୁ ନେଇ କାକାକୁ ହତ୍ୟା କଲା ପୁତୁରା, ମଦଭାଟି ନିକଟରୁ ଗଳିତ ଶବ ଉଦ୍ଧାର

କେସିଙ୍ଗା,ଏନ୍ଏନ୍ଏସ୍: ଜମିବାଡି କଳହକୁ ନେଇ ପୁଣି ହତ୍ୟା କାଣ୍ଡ ଘଟିଛି। ପୁତୁରା ଜଣଙ୍କ ନିଜ କାକାକୁ ହତ୍ୟା କରିଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ମଶାଣିମୁଣ୍ଡା ମଦଭାଟି ନିକଟରୁ ଆଜି ଜଣେ ବ୍ୟକ୍ତିଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଥିଲା। ମୃତ ବ୍ୟକ୍ତି ଜଣକ ହେଲେ କେସିଙ୍ଗା ସହରର ଭୂଷଣ ପ୍ରସାଦ କଶ୍ୟପ (୫୭)। ସେ ଗତ ୧୨ ତାରିଖରୁ ନିଖୋଜ ଥିଲେ। ଏନେଇ ପରିବାର ତରଫରୁ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଥିଲା। ଆଜି ତାଙ୍କର ଶବ ମିଳିବା ପରେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସନ୍ଦେହରେ କେସିଙ୍ଗା ପୁଲିସ ଭୂଷଣ କଶ୍ୟପଙ୍କ ବଡଭାଇ ଓ ୨ ପୁତୁରାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ପଚରାଉଚରା ପରେ ଜମିବାଡ଼ି ବିବାଦକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି।

ଘଟଣାର ନୁଆଁ ମୋଡ଼ ଜମିବାଡ଼ି ବିବାଦ କୁନେଇ ବଡଭାଇ ରତନ କଶ୍ୟପଙ୍କ ସାନ ପୁଅ ଦୌଲତ କଶ୍ୟପ ହତ୍ୟାକରିଥିବା ପୁଲିସ ଠାରେ ସ୍ୱୀକାର କରିଛି। ତେବେ ଏହି ହତ୍ୟା ପଛରେ ଏକାଧିକ ବ୍ୟକ୍ତି ସଂଶ୍ଳିଷ୍ଟ ଥିବା ପୁଲିସର ସନ୍ଦେହ କରୁଛି। ସୂଚନାରୁ ପ୍ରକାଶ ଯେ, ଗତ ୧୨ ତାରିଖ ସନ୍ଧ୍ୟାରେ ପ୍ରତିଦିନ ଭଳି ଭୂଷଣ ପ୍ରସାଦ କଶ୍ୟପ ସନ୍ଧ୍ୟା ଭ୍ରମଣରେ ବାହାରିଥିଲେ। ହେଲେ ସେ ରାତିରେ ଆଉ ଘରକୁ ଫେରିନଥିଲେ। ଉକ୍ତ ଦିନ କେସିଙ୍ଗା ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ମଶାଣୀମୁଣ୍ଡା ଦେଶୀ ମଦଭାଟି ନିକଟରୁ ଏକ ମୋଟର ସାଇକେଲକୁ ବିଳମ୍ବିତ ରାତିରେ ଉଦ୍ଧାର କରିଥିଲେ। ୧୩ ତାରିଖ ସକାଳେ ପରିବାର ଲୋକେ କଶ୍ୟପ ନିଖୋଜ ଥିବା ଥାନାରେ ଜଣାଇଥିଲେ। କିନ୍ତୁ ଲଗାଣବର୍ଷା ହେଉଥିବାରୁ ମଦଭାଟି ନିକଟ ନାଳରୁ ମୃତ ଦେହକୁ କୌଣସି ଲୋକ ଦେଖିପାରିନଥିଲେ।

ଆଜି ବର୍ଷା ଛାଡିଯିବାରୁ ଉକ୍ତ ନାଳରୁ ପ୍ରବଳ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ନିକଟକୁ ଯାଇ ଦେଖିଥିଲେ। ସେଠାରେ ଏକ ଗଳିତ ଶବକୁ ଦେଖି ସେମାନେ ପୁଲିସକୁ ଖବର ଦେଇଥିଲେ। କେସିଙ୍ଗା ପୁଲିସ ଏସ୍‌ଡ଼ିପିଓ ଅଭିନବ ସୋନକର, ଆଇଆଇସି ସତ୍ୟକୁମାର ନନ୍ଦ, ଅତିରିକ୍ତ ଆଇଆଇସି ମମତା ହେମ୍ବ୍ରମ ଓ ଅନ୍ୟ ପୁଲିସ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଗଳିତ ଶବଟିକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କେସିଙ୍ଗା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା। ଶବ ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିବା ବେଳେ କେସ୍‌ ନଂ ୨୮୩/୧୫ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା।