ବ୍ରାହ୍ମଣୀଗାଁ,ଏନ୍ଏନ୍ଏସ୍ : କନ୍ଧମାଳ ଜିଲ୍ଲା ,ବ୍ରାହ୍ମଣୀଗାଁ ବନାଂଚଳ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଖ୍ରୀଷ୍ଟିଆନ ବଡସାହିରୁ ଏକ ମୃଗ ଉଦ୍ଧାର କରାଯାଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୭ଟା ବେଳେ ଜଙ୍ଗଲରୁ ଦୁଇଟି ମୃଗ ଗାଁ’ ଭିତରକୁ ଦୌଡି ପଳାଇ ଆସିଥିଲେ । ତାହାକୁ ଦେଖି ଗ୍ରାମର କିଛି ଲୋକେ ପାଟି କରିବାରୁ ଗୋଟିଏ ମୃଗ ଖ୍ରିଷ୍ଟିଆନ ବଡସାହିର ଗୋଟିଏ ଭଙ୍ଗା ଘରେ ଭିତରେ ଫସି ରହିଯାଇଥିଲା ଏବଂ ଅନ୍ୟଟି ଦୌଡି ପଳାଇ ଯାଇଥିଲା। ଫସି ରହିଥିବା ମୃଗଟିକୁ ସାହିର କିଛି ଯୁବକ କାବୁ କରି ଧରିଥିଲେ । ବନ୍ୟ ଜନ୍ତୁଙ୍କୁ ପାଖରେ ଦେଖି ଲୋକଙ୍କ ମନରେ କୌତୁହଳ ଜାତ ହୋଇଥିଲା ଏବଂ ତାହାକୁ ଦେଖିବାକୁ ସାହିବାସୀଙ୍କର ଭିଡ ଜମିଥିଲା ।
ପରେ ବ୍ରାହ୍ମଣୀଗାଁ’ର ଜଣେ ଯୁବକ ଟିଙ୍କୁ ପ୍ରଧାନ ଓ କିଛି ଗ୍ରାମବାସୀ ସ୍ଥାନୀୟ ବନବିଭାଗ କାର୍ଯ୍ୟାଳୟକୁ ନେଇ ବନାଂଚଳ ଅଧିକାରୀ ପ୍ରଦୀପ କୁମାର ବେହେରାଙ୍କୁ ହସ୍ତାନ୍ତର କରିଥିଲେ । ଉକ୍ତ ମୃଗଟିର ବାମଗୋଡରେ କ୍ଷତ ହୋଇଥିବା ଦେଖି କୌଣସି ହିଂସ୍ର ଜନ୍ତୁଙ୍କ କବଳରୁ ପ୍ରାଣ ରକ୍ଷା କରିବାକୁ ଦୌଡି ପଳାଇ ଆସିଥିବା ଅନୁମାନ କରାଯାଉଛି। ତା’ର ଚିକିତ୍ସା କରାଯାଇ ପୁଣିଥରେ ଜଙ୍ଗଲରେ ଛଡାଜିବ ବୋଲି ଶ୍ରୀ ବେହେରା ସୁଚନା ଦେଇଛନ୍ତି ।