ପୁଣି ଗଞ୍ଜେଇ ଜବତ; ମହିଳାଙ୍କ ସହ ୪ ଗିରଫ

ଫୁଲବାଣୀ/ଫିରିଙ୍ଗିଆ,ଏନ୍ଏନ୍ଏସ୍ : କୋଭିଟ – ୧୯ ପାଇଁ ଜାରି କରାଯାଇଥିବା ଲକଡାଉନ ଧୀରେ ଧୀରେ କୋହଳ ହେବାକୁ ଲାଗିଥିବା ବେଳେ, ଅନ୍ୟପଟେ ଦିର୍ଘ ତିନି ମାସର ନିରବତା ପରେ ବର୍ତମାନ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳରୁ ଗଞ୍ଜେଇ ଚୋରାଚାଲାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏଥିରେ ମହିଳା ମାନେ ମଧ୍ୟ ସାମିଲ୍ ଥିବାର ଜଣାପଡ଼ିଛି। ବାହାର ରାଜ୍ୟ ତଥା ଆନ୍ତଃଜିଲ୍ଲା ଗଞ୍ଜେଇ ମାଫିଆମାନେ ପୂର୍ବରୁ ଗଞ୍ଜେଇ ନେବା ପାଇଁ ଜିଲ୍ଲାକୁ ପଶି ଆସିଥିଲେ ମଧ୍ୟ ଲକଡାଉନ୍ ଯୋଗୁଁ ସେମାନେ ମଧ୍ୟ ବିଭିନ୍ନ ସ୍ଥାନରେ ଫସିଯାଇଥିବା ବେଳେ ଏବେ ଧୀରେ ଧୀରେ ବାହାରକୁ ବାହାରି ଧରାପଡ଼ୁଛନ୍ତି । ଅନ୍ୟପଟେ ଜିଲ୍ଲାର ବିଭିନ୍ନ ଗ୍ରାମାଂଚଳ ମାନଙ୍କରେ ଥିବା ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ ଅର୍ଥଲୋଭ ଦେଖାଇ ଏହି ମାଫିଆମାନେ ଏବେ ଏହି କାରବାରରେ ସାମିଲ କରୁଥିବା ଦେଖାଯାଇଛି। କାମଧନ୍ଦା ଅଭାବରୁ ବାଧ୍ୟହୋଇ ଗ୍ରାମାଂଚଳର ସରଳ ନିରିହ ଯୁବକ ଯୁବତୀମାନେ ମଧ୍ୟ ଅର୍ଥଲୋଭରେ ପଡ଼ି ଏହି ମାଫିଆମାନଙ୍କ ସହ ହାତ ମିଳାଇ ପୁଲିସ ହାତରେ ଧରାପଡ଼ୁଛନ୍ତି। ଫିରିଙ୍ଗିଆ ପୁଲିସ ହାତରେ ଲାଗିଛି ଏକ ଗଞେଇ ଚୋରାଚାଳାଣ ଗ୍ୟାଙ୍ଗ। ଏକ ଅଟୋ ସହ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଜଣେ ମହିଳାଙ୍କୁ ଗିରଫ କରିବା ସହ ଚାରି ଜଣ ସହଯୋଗିଙ୍କୁ ଗିରଫ କରି ତାଙ୍କ ପାଖରୁ ୨୫ କିଲୋ ଗଞ୍ଜେଇ ଜବତ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତ୍ରରେ କୌଣଷି ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି. ଶ୍ୟାମସୁନ୍ଦର ରାଓଙ୍କ ନେତୃତ୍ୱରେ ଏକ ଦଳ ଫିରିଙ୍ଗିଆ ଗୋଛାପଡା ରାସ୍ତାର ମାଝିପଡା ଛକ ନିକଟରେ ଚଢାଉ କରି ଏହି ଗଞ୍ଜେଇ ବୋଝେଇ ଅଟୋକୁ ଧରିଥିଲେ । ଦୀର୍ଘ ଦିନଧରି ଏହି ଏହି ଗ୍ୟାଙ୍ଗ ଗଞ୍ଜେଇ ଚୋରାଚାଲାଣ କରି ଆସୁଥିବା ପୁଲିସ ତଦନ୍ତରୁ ଜାଣିପାରିଛି। ଗିରଫ ମାଫିଆମାନଙ୍କ ମଧ୍ୟରେ ମାଷ୍ଟରମାଇଣ୍ଡ ମହିଳା ଜଣକ ଖୋର୍ଦ୍ଧା ଜିଲ୍ଲା ଜଟଣି ଥାନା ଅଂଚଳର ସସ୍ମିତା ସାହୁ (୩୦) ବୋଲି ଜଣାପଡିଥିବା ବେଳେ ଅନ୍ୟ ତିନିଜଣଙ୍କ ମଧ୍ୟରେ ଜଣେ ଜବତ ହୋଇଥିବା ଅଟୋର ଡ୍ରାଇଭର ପୁରି ଜିଲ୍ଲା ପିପିଲି ଗାଁ’ର ଜାବେତ ଅକ୍ତର ଓ ଅନ୍ୟଜଣେ କଟକ ଜିଲ୍ଲା ନରସିଂହପୁର ସମିର କୁମାର ନନ୍ଦ ଓ ଅନ୍ୟ ଜଣେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ବନ୍ଧଗଡ ପଂଚାୟତ ଅନ୍ତର୍ଗତ କରଣ୍ଡାଗଡ ଗ୍ରାମର ଜକ୍ଷ ଦିଗାଳ ବୋଲି ପୁଲିସ ପ୍ରକାଶ କରିଛି। ଏନେଇ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଚୋରା ଗଞ୍ଜେଇ ଫିରିଙ୍ଗିଆ ବ୍ଲକ ମୁସଲିପାଙ୍ଗା ଅଂଚଳରୁ ଭୂବନେଶ୍ୱର ଚାଲାଣ ହେଉଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି।