ଗାଁ କଲ୍ୟାଣ ସମିତିରୁ ଗ୍ରାମସ୍ତରୀୟ ଶିଶୁ କଲ୍ୟାଣ ଏବଂ ସୁରକ୍ଷା କମିଟି ଗଠନ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଗ୍ରାମସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟି ଏବଂ ଆଇନଗତ ପୋଷ୍ୟସନ୍ତାନ ଗ୍ରହଣ ପ୍ରକ୍ରିୟା ଉପରେ ଜିଲ୍ଲାସ୍ତରୀୟ ବୈଠକ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ପ୍ରତ୍ୟେକ ଗ୍ରାମରେ ଗାଁ କଲ୍ୟାଣ ସମିତି ବର୍ତ୍ତମାନ ଗ୍ରାମସ୍ତରୀୟ ଶିଶୁ କଲ୍ୟାଣ ଏବଂ ସୁରକ୍ଷା କମିଟି ଭାବେ ଘୋଷିତ ହେବ ବୋଲି ଆଜି ଆନୁଷ୍ଠାନିକ ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ନବରଙ୍ଗପୁର ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର ବୈଠକର ଶୁଭାରମ୍ଭ କରିଥିଲେ । ଶ୍ରୀ ମିଶ୍ର ଗାଁ କଲ୍ୟାଣ ସମିତି ଏବଂ ଗ୍ରାମସ୍ତରୀୟ ଶିଶୁ ମଙ୍ଗଳ ଏବଂ ସୁରକ୍ଷା କମିଟି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ସେମାନଙ୍କର ଦାୟିତ୍ୱ ବିଷୟରେ ମଧ୍ୟ ମତବ୍ୟକ୍ତ କରିଥିଲେ । ଏହି କମିଟିକୁ କିପରି ସୁଦୃଢ଼ ଏବଂ କାର୍ଯ୍ୟକାରୀ କରାଯିବ ସେଥିଲାଗି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଅଙ୍ଗନବାଡି କର୍ମକର୍ତ୍ତା ଓ ଏଏନଏମ ଗ୍ରାମସ୍ତରୀୟ ସଦସ୍ୟଙ୍କୁ ଜିଲ୍ଲାପାଳ ତାଗିଦ କରିବା ସହ ଦାୟିତ୍ୱ ମଧ୍ୟ ଦେଇଥିଲେ । ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ସଚେତନତା ଅଭାବରୁ ପୋଷ୍ୟ ସନ୍ତାନ ପ୍ରକ୍ରିୟା ଦିନକୁଦିନ ବେଆଇନ ହେବାକୁ ଯାଉଛି ଏବଂ କିପରି ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଜଣେ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବ, ଶିଶୁଙ୍କ ସୁରକ୍ଷା ଓ ଅଧିକାର ବଜାୟ ରହିବା ଦିଗରେ ବୁଝାଇଥିଲେ । ଏହାସହ ସେ ଗ୍ରାମସ୍ତରୀୟ ଶିଶୁ କଲ୍ୟାଣ ଏବଂ ସୁରକ୍ଷା କମିଟିର ଆବଶ୍ୟକତା ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ, ଡିଏସପି ବବିତା ତ୍ରିପାଠୀ, ବିଡିଓ ପାପଡ଼ାହାଣ୍ଡି ଏବଂ ତେନ୍ତୁଳୀଖୁଣ୍ଟି, ବିପିଏମ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର,ଡିପିଏମ ସୁଶାନ୍ତ କୁମାର ପ୍ରହରାଜ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ସମସ୍ତ ସିଡିପିଓ, ଚାଇଲ୍ଡ ଲାଇନ ଜିଲ୍ଲା ସଂଯୋଜକ ରବୀନ୍ଦ୍ର ପ୍ରଧାନ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।