ଜଗଦିଶ ଚନ୍ଦ୍ର ନାୟକ ଉଚ୍ଚ ବିଦ୍ୟାଳୟରେ ଅଗ୍ନିକାଣ୍ଡ

ଜୟପୁର,ଏନ୍‌ଏନ୍‌ଏସ୍‌: ଜୟପୁର ତାରିଣି ଛକରେ ଥିବା ଜଗଦିଶ ଚନ୍ଦ୍ର ନାୟକ ଉଚ୍ଚ ବିଦ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ବିଦ୍ୟାଳୟର ଚପରାଶି ତଥା ରାତ୍ର ଜଗୁଆଳି ହେମଲତା ଟାକରିଙ୍କ ଘରର ଆସବାପତ୍ର ପୋଡ଼ିବା ସହ ବିଦ୍ୟାଳୟ ଶ୍ରେଣୀଗୃହର ଚେୟାର ଟେବୁଲ ପୋଡ଼ି ଯାଇଛି । ଘଟଣାସ୍ଥଳରେ ଜୟପୁର ଦମକଳ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । କିନ୍ତୁ ଏହାପଛର ପ୍ରକୃତ କାରଣ ଜଣାପଡ଼ି ନଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଘଟିଥିବା ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୦ ତାରିଖରେ ଚପରାଶିଙ୍କ କାର ବିଦ୍ୟାଳୟ ପରିସରରେ ଥିବାବେଳେ କିଛିି ଦୁର୍ବୁତ୍ତ ଆସି ଏଥିରେ ନିଆଁ ଲଗାଇ ଦେଇଥିଲେ । ହେମଲତାଙ୍କ କହିବାନୁଯାୟୀ ଘର ଖୋଲା ରଖି କିଛି କାମ ପାଇଁ ବାହାରକୁ ବାହାରିଥିବାବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା ଦେଇଥିଲେ । ଅନ୍ୟପଟେ ଘଟଣା ସମ୍ବନ୍ଧରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇଥିବା ନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉପେନ୍ଦ୍ର ଦୀପ ସୂଚନା ଦେଇଛନ୍ତି ।