କନିଷ୍ଠ ଆକାଉଣ୍ଟାଣ୍ଟଙ୍କ ବାସ ଭବନରେ ଭିଜିଲାନ୍ସ ଚଢ଼ଉ

ବଲାଙ୍ଗିର,ଏନ୍ଏନ୍ଏସ୍: ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ୱେସ୍କୋ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କନିଷ୍ଠ ଆକାଉଣ୍ଟାଣ୍ଟ ବିଭୁତିଭୂଷଣ ବିନ୍ଧାଣୀଙ୍କ ବାସଭବନରେ ଭିଜିଲାନ୍ସ ବିଭଗ ପକ୍ଷରୁ ଚଢଉ କରାଯାଇଛି। ବଲାଙ୍ଗିର ସାଲେପାଲି ସାର୍କିଟ୍ ହାଉସ ନିକଟ ତିନି ମହଲା ବିଶିଷ୍ଟ କୋଠାଘର, ପୁଇଁତଳା ବ୍ଲକ ଦୁର୍ଗାପାଲି ଗାଁରେ ଥିବା ପୈତୃକ ଘର ସମେତ ବଲାଙ୍ଗିର ପ୍ୟାଲେସ ଲାଇନ୍, ୱେସ୍କୋ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ପ୍ରକୋଷ୍ଠରେ ଏକକାଳୀନ ଚଢଉ କରାଯାଇଛି । ସମ୍ବଲପୁର ଭିଜିଲାନ୍ସ ଡିଏସପି ଦାଶରଥୀ ସେଠୀ, ବରଗଡ ଡିଏସପି ପରମେଶ୍ୱର କିଶାନଙ୍କ ନେତୃତ୍ୱରେ ଭିଜିଲାନ୍ସର ଚାରୋଟି ଟିମ୍ ପକ୍ଷରୁ ଏହି ଚଢଉ କରାଯାଇଛି।
ବଲାଙ୍ଗିର ସାଲେପାଲି ସାର୍କିଟ ହାଉସ ନିକଟରେ ଥିବା ତିନି ମହଲା କୋଠାରୁ ନଗଦ ୧୬ ଲକ୍ଷ ୩୨ ହଜାର ଟଙ୍କା, ପ୍ରାୟ ୨ ଶହ ଗ୍ରାମ ଓଜନର ସୁନା ଗହଣା, ରୂପା ଅଳଙ୍କାର, ବ୍ୟାଙ୍କ ବୀମା ଜମା ସମେତ ମାରୁତି ସିଆଜ୍ କାର, ତିନୋଟି ବାଇକ ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ତେବେ ଏହା ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି କହିଛନ୍ତି ଅଭିଯୁକ୍ତ ସରକାରୀ ଅଧିକାରୀ ।