ଟ୍ରକ୍ ଧକ୍କାରେ ଯୁବତୀ ମୃତ: ସ୍ଥାନୀୟଲୋକଙ୍କ ରାସ୍ତା ରୋକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ପୌରପରିଷଦ ଗୋମାଡେରା ଜନତା ମେଡିକାଲ ସମ୍ମୁଖରେ ଆଜି ସକାଳେ ଏକ ଟ୍ରକ୍ ଧକ୍କାରେ ଜଣେ ଯୁବତୀ ପ୍ରାଣ ହରାଇଛନ୍ତି। ମୃତ ଯୁବତୀ ଜଣକ ସ୍ଥାନୀୟ ଟିଆରଏଲ କୋଲନୀ ନିବାସୀ ଦେବାଶିସ ସାଇଚଙ୍କ ଝିଅ ଶେୟା ଆଇଚ(୨୧) ବୋଲି ଜଣାପଡିଛି। ଶ୍ରେୟା ଆଜି ସକାଳେ ନିଜ ସ୍କୁଟିରେ ଗୋମାଡେରା ପଟୁ ବେଲପାହାଡ ଯାଉଥିବା ସମୟରେ ସିମେଣ୍ଟ ଅନଲୋଡ କରି ଫେରୁଥିବା ଏକ ଟ୍ରକ୍ ଶ୍ରେୟାଙ୍କୁ ଓଭର ଟେକ୍ କରିବାକୁ ଚେଷ୍ଟା କରୁଥିବାବେଳେ ସ୍କୁଟିର ଡାହାଣ ପଟ ମିରରକୁ ଧକ୍କା ଦେଇଥିଲା। ଫଳରେ ଶ୍ରେୟା ତଳେ ପଡ଼ି ଯିବାରୁ ତାଙ୍କ ମୁଣ୍ଡ ଉପରେ ଟ୍ରକର ପଛ ଚକ ଚଢିଯାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟଲୋକେ ଟ୍ରକଟିକୁ ରୋକିବାରେ ସମର୍ଥ ହୋଇଥିଲେ ହେଁ ଡ୍ରାଇଭର ଫେରାର ହୋଇଯାଇଥିଲା।
ଶେୟାଙ୍କ ମୃତ୍ୟୁ ହେବାପରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିବାସହ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ଟିଆରଏଲ, ଓପିଜିସି ଓ ଏମସିଏଲକୁ ଗାଡି ଚଳାଚଳ ପାଇଁ ପ୍ରସ୍ତବିତ କୋଲ କରିଡୋରର ଶୀଘ୍ର ନିର୍ମାଣ କରାଯାଉ ବୋଲି ଦାବି କରିଥିଲେ। ଏହାସହ ଯେ ପର୍ଯ୍ୟନ୍ତ ଗୋମାଡେରାର ରସ୍ତାରେ ନୋ ଏଂଟ୍ରି ଲଗା ନଯିବ ସେ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଲୋକେ କହିଥିଲେ। ଘଟଣାସ୍ଥଳକୁ ଲଖନପୁର ତହସିଲଦାର ବିଶ୍ୱକେଶନ ପାଣ୍ଡେ, ବ୍ରଜରାଜନଗର ଏସଡିପିଓ ଦୀଲିପ ଦାସ, ବେଲପାହାଡ ଥାନା ଅଧିକାରୀ ରଶ୍ମିତା ବେହେରା ଓ ପୁଲିସ ଦଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଜିଲ୍ଲା ପ୍ରାଶାସନ, ସ୍ଥାନୀୟଲୋକ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ୭ ଦିନ ମଧ୍ୟରେ ଏକ ଆଲୋଚନା କରାଯାଇ ଭାରୀଯାନ ଚଳାଚଳର ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ତହସିଲାଦାର ଶ୍ରୀ ପାଣ୍ଡେ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ।