ଭିଜିଲାନ୍ସ ଜାଲରେ ମାଲକାନଗିରି ଏନଏଚଏମର ଡିପିଏମ୍

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜାତୀୟ ସ୍ୱାସ୍ଥ୍ୟ ମିଶନର ଡିପିଏମ ସୁଦୀପ କେଶ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କ ନିଜ ବିଭାଗରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ନବଘନ ଖିଲଙ୍କ ଏକ ବିଲ୍ ପାସ କରିବା ନିମନ୍ତେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଲକାନଗିରି ଭିଜିଲାନ୍ସ ହାତରେ ପଡିଛନ୍ତି।

ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାର ଜାତୀୟ ସ୍ୱାସ୍ଥ୍ୟ ମିଶନରେ କାର୍ଯ୍ୟରତ ଡିପିଏମ ବିଭିନ୍ନ କାର୍ଯ୍ୟର ବିଲ ପାସ କରିବା ପାଇଁ ନିଜ ବିଭାଗର କନିଷ୍ଠଯନ୍ତ୍ରୀଙ୍କୁ ବାରମ୍ବାର ଅର୍ଥ ମାଗିଥିଲେ। ତେବେ ଆଜି ପୁଣି ଏକ କାମର ବିଲ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ କନିଷ୍ଠଯନ୍ତ୍ରୀ ଶ୍ରୀ ଖିଲ ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଜୟପୁରସ୍ଥିତ ଦୁର୍ନୀତି ନିବାରଣ ବିଭାଗର ଆରକ୍ଷୀ ଅଧିକ୍ଷକ ଏକ ଦଳ ଗଠନ କରିଥିଲେ। ପୂର୍ବପ୍ରସ୍ତୁତି ଅନୁଯାୟୀ ଏହି ଲାଞ୍ଚ ନେବାବେଳେ ମାଲକାନଗିରି ଜିଲ୍ଲା ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ୍ ଚଢଉ କରି ତାଙ୍କୁ ଗିରଫ କରିଥିଲେ। ଏହାପରେ ତାଙ୍କ ଘରେ ଚଢ଼ଉ କରି ୮୩ ହଜାର ଟଙ୍କା ଜବତ କରାଯାଇଛି। ‘ମୋର କୌଣସି ଭୁଲ ନାହଁ, ମୋତେ ଚକ୍ରାନ୍ତ କରି ଫସାଇ ଦିଆଯାଇଛି’ ବୋଲି ଗିରଫ ଡିପିଏମ ଶ୍ରୀ କେଶ ପ୍ରକାଶ କରିଛନ୍ତି।