ଆଗାମୀ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର-ବିଜୟ ପାଲ ସିଂ ତୋମାର

ଭୁବନେଶ୍ୱର, ଏନ୍ଏନ୍ଏସ୍: ଓଡ଼ିଶାରେ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ୫୧% ଭୋଟ୍ ପାଇ ସରକାର ଗଠନ କରିବୁ ବୋଲି ଓଡ଼ିଶା ଗସ୍ତରେ ଆସିଥିବା ରାଜ୍ୟ ବିଜେପି ସହପ୍ରଭାରୀ ତଥା ସାଂସଦ ବିଜୟ ପାଲ ସିଂ ତୋମାର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଶ୍ରୀ ତୋମାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନକଲ୍ୟାଣକାରୀ ଯୋଜନା ଦେଶବାସୀଙ୍କ ବିଶ୍ୱାସ ଭାଜନ କରିଛି। ବିଜେପିର ସବକା ସାଥ ସବକା ବିକାଶ ନୀତି ଦ୍ୱାରା ବିଜେପି ଜନସାଧାଣରଙ୍କ ପାଖରେ ପହଞ୍ଚିଛି। ସେଥିଲାଗି ପୂରା ଦେଶରେ ବିଜେପିର ଲୋକପ୍ରିୟତା ବଢ଼ି ଚାଲିଛି। ଗତ କିଛିଦିନ ମଧ୍ୟରେ ହୋଇଥିବା ନିର୍ବାଚନ ଓ ଉପନିର୍ବାଚନରେ ବିଜେପି ଦେଶର ବିଭିନ୍ନ ସ୍ଥାନରେ ବାଜିମାତ୍ କରିଛି। ତେଲେଙ୍ଗାନା ଉପନିର୍ବାଚନ, ଗ୍ରେଟର ହାଇଦ୍ରାବାଦ ମ୍ୟୁନିସପାଲ କର୍ପୋରେସନ ନିର୍ବାଚନ, ଜମ୍ମୁ କାଶ୍ମିରୀ ଡିଡିସି ନିର୍ବାଚନ, ରାଜସ୍ଥାନର ପଞ୍ଚାୟତ ନିର୍ବାଚନ, ଗୁଜୁରାଟ ଓ ଉତ୍ତରପ୍ରଦେଶ ଉପନିର୍ବାଚନ ଓ ବିହାର ବିଧାନସଭା ନିର୍ବାଚନରେ ବିଜେପିକୁ ସାଧାରଣ ଜନତା ଆଶୀର୍ବାଦ କରିଛନ୍ତି। ରାଜ୍ୟରେ ତୃମମୂଳସ୍ତରରେ ବିଜେପି ସଙ୍ଗଠନକୁ ସୁଦୃଢ଼ କରିବା କାର୍ଯ୍ୟରେ ଲାଗିଛି। ଆଗାମୀ ନିର୍ବାଚନରେ ଓଡ଼ିଶାରେ ମଧ୍ୟ ବିଜେପି ସରକାର ଗଠନ କରିବେ।

କେନ୍ଦ୍ର ସରକାର ଆଣିଥିବା ନୂତନ କୃଷି ଆଇନ ସମ୍ପର୍କରେ ଶ୍ରୀ ତୋମାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କୃଷକର ଆୟକୁ ଦ୍ୱିଗୁଣିତ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଏବେ ନୂତନ କୃଷି ଆଇନ ଆଣି ମୋଦୀ ସରକାର ଚାଷୀଙ୍କୁ ସଶକ୍ତ କରିବା ସହ ଚାଷୀଙ୍କ ଆୟ ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରିଛନ୍ତି। ଦେଶର ୯୫ ପ୍ରତିଶତ ଚାଷୀ ନୂତନ କୃଷି ଆଇନକୁ ସମର୍ଥନ କରୁଛନ୍ତି। ବିଗତ ୧୫ ବର୍ଷରେ କଂଗ୍ରେସର ୧୦ ମୁଖ୍ୟମନ୍ତ୍ରୀ ଓ ୧୨ଟି ଏକ୍ସପର୍ଟ କମିଟି କୃଷି ବିଲରେସୁଧାର ଆଣିବା ଲାଗି ସୁପାରିଶ କରିଥିଲେ। କିନ୍ତୁ ବିଭିନ୍ନ ନିର୍ବାଚନରେ କଂଗ୍ରେସ ପରାଜୟ ହେବା କାରଣରୁ ହତୋତ୍ସାହିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିବା ପାଇଁ ବିଭିନ୍ନ ଉପାୟ ଆପଣାଉଛି।

ଶ୍ରୀ ତୋମାର ଆହୁରି ମଧ୍ୟ କହିଛନ୍ତି ଯେ ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ହତ୍ୟା କରାଯାଇଛି। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ବିଜେପି ନେତାଙ୍କୁ ହତ୍ୟା କରାଯିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ। ତିନି ଦିନିଆ ଓଡିଶା ଗସ୍ତରେ ଆସିଥିବା ଶ୍ରୀ ତୋମାରଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ସଙ୍ଗଠନ ମାନସ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତ ସିଂହାର, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଓ ଠାକୁର ରଞ୍ଜିତ ଦାସ, କୃଷକମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ ଏବଂ ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂଙ୍କ ସମେତ ବିଜେପି କାର୍ଯ୍ୟକର୍ତା ପ୍ରମୁଖ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଆସନ୍ତା କାଲି ଶ୍ରୀ ତୋମାର ମାହାଙ୍ଗା ଗ୍ରସ୍ତ କରିବାର କାର୍ଯ୍ୟକ୍ରମ ରହିଛି।