ରାଜ୍ୟର ସମସ୍ତ ଏସପି ଘେରାଉ କଲା ବିଜେପି

କୁଳମଣି ବରାଳଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବି

ଭୁବନେଶ୍ୱର, ଏନ୍ଏନ୍ଏସ୍: ମାହାଙ୍ଗା ବିଜେପି ନେତା କୁଳମଣି ବରାଳଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବି କରିଛି ବିଜେପି। ଆଜି ବିଜେପି ପକ୍ଷରୁ ରାଜ୍ୟର ବିଭିନ୍ନ ଏସପି ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଘେରାଉ କରାଯାଇଥିଲା। ତୁରନ୍ତ ମନ୍ତ୍ରୀଙ୍କୁ ଗିରଫ କରିବା ସହିତ ବହିଷ୍କାର କରାଯାଉ ବୋଲି ବିଜେପି ନେତା ଓ କର୍ମୀମାନେ ଦାବି କରିଥିଲେ।
ଏନେଇ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରରୋଚନାରେ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଛି। ପଶ୍ଚିମବଙ୍ଗ ପରି ଓଡ଼ିଶାରେ ରାଜନୈତିକ ହିଂସା ଦେଖାଦେଇଛି। ରାଜ୍ୟରେ ବିଜେଡିର ଦୁର୍ନୀତି ଭଷ୍ଟ୍ରାଚାର ବିରୋଧରେ ମୁହଁ ଖୋଲିଲେ ଶାସକ ଦଳ ନେତାଙ୍କ ନିର୍ଦ୍ଦେଶରେ ବିରୋଧୀଙ୍କୁ ହତ୍ୟା କରାଯାଉଛି।

ଏହି ହତ୍ୟାକାଣ୍ଡରେ ଆଇନ ମନ୍ତ୍ରୀଙ୍କ ସମେତ ୧୪ ଜଣଙ୍କ ନାଁରେ ଏତଲା ଦିଆଯାଇଛି। କିନ୍ତୁ ପୁଲିସ୍ ଶାସକ ଦଳ ଚାପରେ ମନ୍ତ୍ରୀଙ୍କୁ ଗିରଫ କରିବା ତ ଦୂରର କଥା ତାଙ୍କୁ ତଦନ୍ତ ପରିସରଭୃକ୍ତ କରୁନାହିଁ। ମାହାଙ୍ଗା ଡବଲ ମର୍ଡର ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଆଗାମୀ ଦିନରେ ବିଜେପି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ। ଗତକାଲି ବିଜେପି ରାଜ୍ୟର ସମସ୍ତ ଥାନା ଘୋରାଓ କରିଥିବାବେଳେ ଆଜି ଏସପି ଏଫିସ ଘେରାଓ କରାଯାଇଛି। ଆସନ୍ତା ୮ ତାରିଖ ଦିନ ଡିଜି ଅଫିସ ଘେରାଓ କରାଯିବ। ଆଜି ଖୋର୍ଦ୍ଧା, କଟକ, ବରଗଡ଼, ଅନୁଗୁଳ, ଢେଙ୍କାନାଳ, ନୂଆପଡ଼ା, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଂଜାମ, ଗଜପତି, ବାରିପଦା, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର ସମେତ ରାଜ୍ୟର ସମସ୍ତ ଜିଲ୍ଲାର ଏସପି କାର୍ଯ୍ୟାଳୟ ଘେରାଉ କରାଯାଇଥିଲା।