ନୂଆଦିଲ୍ଲୀ/ଭୁବନେଶ୍ୱର/କଟକ/ବାଙ୍କୀ, ଏନ୍ଏନ୍ଏସ୍: ବାଙ୍କୀର ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ହିଁ ପ୍ରକୃତ ନେତୃତ୍ୱ ବୋଲି ବୁଧବାର ବାଙ୍କୀ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ଶତବାର୍ଷିକୀ ଉଦଘାଟନ ସମାରୋହରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ସମ୍ବୋଧନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ନେତୃତ୍ୱ ଏହାକୁ କୁହାଯିବ ଯେ ବାଙ୍କୀ ଅଞ୍ଚଳର ସାମାନ୍ୟ ଲୋକର ଜୀବନରେ ମୂଳଭୂତ ପରିବର୍ତ୍ତନ ଆଣିବ । ଦଳ, ମତ, ବିଚାର ନିର୍ବିଶେଷରେ ଆମେ ଏହି ସାମାଜିକ ଦାୟିତ୍ୱ ପୂରା କରିବାର ଆବଶ୍ୟକତା ରହିଛି। ଏହି ବିଦ୍ୟାମନ୍ଦିର ଏକବିଂଶ ଶତାବ୍ଦୀରେ ନୂଆ ଅଧ୍ୟାୟ ଆରମ୍ଭକଲେ ହିଁ ନିଜ ଯଥାର୍ଥତାକୁ ସାଧିତ କରିବ । ଏହା ହିଁ ଶାନ୍ତି ନିକେତନର ପ୍ରେରଣା ଥିଲା ତଥା ମହାତ୍ମା ଗାନ୍ଧୀଙ୍କ ଚରଖା ଚଲାଇବା ଓ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ହରେକୃଷ୍ଣ ମହତାବଙ୍କ ଇଁଚୁଡି ଠାରେ ଲବଣ ସତ୍ୟାଗ୍ରହର ଉଦ୍ଦେଶ୍ୟ ଥିଲା ।
ସେହିପରି ଏକବିଂଶ ଶତାବ୍ଦୀରେ ଟେକ୍ନୋଲୋଜି ମାଧ୍ୟମରେ ନୂଆ ଢାଞ୍ଚାରେ ବାଙ୍କୀକୁ ଏକ ଆଦର୍ଶ ତଥା କୃଷି ଅର୍ଥନୀତିରେ ପରିଣତ କରିବା ଦିଗରେ ବାଙ୍କୀ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ପୂରାତନ ଓ ନୂତନ ଛାତ୍ରମାନେ ସାମୂହିକ ପ୍ରଚେଷ୍ଟା କରିବା ଦରକାର। ମହାନଦୀ ଅବବାହିକାରେ ପ୍ରାକୃତିକ ସୌନ୍ଦର୍ଯ୍ୟର ପୃଷ୍ଠଭୂମିରେ ଅବସ୍ଥିତ ମାଆ ଚର୍ଚ୍ଚିକାଙ୍କ ପୀଠପାଇଁ ଜଣାଶୁଣା ବାଙ୍କୀ ଅଞ୍ଚଳ ଉତ୍କଳୀୟ ପରମ୍ପରା, କଳା, ସାହିତ୍ୟ, ସଂସ୍କୃତି ଓ ଚଷାଚାଷୀର ମାଟି ସହ ଜଡ଼ିତ। ମହାବିଦ୍ୟାଳୟଟି ଆଜି ୧୦୦ ବର୍ଷ ପୂରଣ କରିବା ବିରଳ ତଥା ଗୌରବମୟ କୀର୍ତ୍ତିମାନ ଏବଂ ପୂର୍ବଜ ମାନଙ୍କ ପ୍ରଚେଷ୍ଟାର ପ୍ରମାଣ । ବାଙ୍କୀର ପୂର୍ବଜ ତଥା ପୂର୍ବପୁରୁଷ ବରେନ୍ଦ୍ରକୃଷ୍ଣ ଅଧିକାରୀ ତଥା ଅନେକ ବିଶିଷ୍ଟ ବ୍ୟକ୍ତିସମୂହଙ୍କ ପ୍ରଚେଷ୍ଟା ଯୋଗୁଁ ବାଙ୍କୀ ଉପଖଣ୍ଡରେ ବି.କେ ବିଦ୍ୟାପୀଠ ପ୍ରଥମେ ବାଙ୍କୀ-ଡମପଡ଼ା ହାଇସ୍କୁଲ ନାମରେ ପ୍ରତିଷ୍ଠା ହୋଇଥିଲା । ଡାକ୍ତର ଯୋଗେଶ ରାଉତ, ଯଷ୍ଟିସ୍ ଯୁଗଳ କିଶୋର ମହାପାତ୍ର, ବନବିହାରୀ ପଣ୍ଡା, ବାଉରୀବନ୍ଧୁ ନନ୍ଦ ଓ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକଙ୍କ ଭଳି ଅନେକ ବିଶିଷ୍ଟ ବ୍ୟକ୍ତି ଏହି ବିଦ୍ୟାଳୟରୁ ପାଠପଢ଼ି ବାଙ୍କୀ ଓ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ବାଙ୍କୀ ଭଳି କୃଷିପ୍ରଧାନ ଅଞ୍ଚଳକୁ ସମୃଦ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନୂଆ କୃଷି ଆଇନ ପ୍ରଣୟନ କରାଯାଇଛି।
ଏହି ନୂଆ କୃଷି ଆଇନରେ ବାଙ୍କୀର କୃଷି ଆତ୍ମନିର୍ଭର ତଥା ସ୍ୱାବଲମ୍ବୀ ହେବ। ବାହାର ବଜାରରେ ଚାଷୀ ନିଜ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରି ସଠିକ୍ ମୂଲ୍ୟ ପାଇପାରିବ। କୃଷିକୁ ବ୍ୟବସାୟର ରୂପ ଦେଇପାରିବ । ସ୍ୱାଭାବିକ ପାଠପଢ଼ା ସହ କୃଷି ବ୍ୟବସାୟ ତଥା ବାଙ୍କୀରେ ଉତ୍ପାଦିତ ପନିପରିବାକୁ ବଜାର ସହ ଯୋଡ଼ିବା ପାଇଁ ବିଦ୍ୟାଳୟର ପୂରାତନ ଓ ଆଜିର ଛାତ୍ରମାନେ ବଦ୍ଧପରିକର ହେବା ଦରକାର । ଭାରତ ସରକାରଙ୍କ ନୂତନ ଶିକ୍ଷାନୀତି ୨୦୨୦ ସ୍କୁଲ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ବଡ଼ପଦକ୍ଷେପ । ଜ୍ଞାନ ସହ କୌଶଳକୁ ଯୋଡ଼ିବା ପାଇଁ ଏହି ଶିକ୍ଷାନୀତିରେ ପ୍ରାଥମିକତା ଦିଆଯାଇଛି। ଭୋକାଲ ଫର୍ ଲୋକାଲ ଓ ଆତ୍ମନିର୍ଭର ଭାରତ ଆନ୍ଦୋଳନରେ ନୂଆ ଶିକ୍ଷା ନୀତି ଆଧାରରେ ଏହି ଶହେବର୍ଷର ଶିକ୍ଷାମନ୍ଦିର କିପରି ଆଦର୍ଶ ବିଦ୍ୟାଳୟ ହେବ ସେଥିପାଇଁ ସମସ୍ତେ ଉଦ୍ୟମ କରିବା ଦରକାର ।