ଗେହଲଟଙ୍କ ମାଷ୍ଟରଷ୍ଟ୍ରୋକ, ଆଜିଠୁ ରାଜସ୍ଥାନରେ ଘର ପିଛା ୧୦୦ ୟୁନିଟ୍‌ ମାଗଣା ବିଜୁଳି

ଜୟପୁର: ଆଜିଠୁ ରାଜସ୍ଥାନରେ ମିଳିବ ଘର ପିଛା ୧୦୦ ୟୁନିଟ ମାଗଣା ବିଜୁଳି । ରାଜ୍ୟବାସୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ମାସିକ ୧୦୦ ୟୁନିଟ ବିଜୁଳି ଯୋଗାଇ ଦିଆଯିବ । ଚଳିତ ବର୍ଷ ଶେଷସୁଦ୍ଧା ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ପୁଣିଥରେ ସରକାର ଗଢିବା ପାଇଁ ଏପରି ବଡ ଘୋଷଣା କରିଛନ୍ତି ଗେହଲଟ ସରକାର । ଗତକାଲି (ବୁଧବାର) ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଘୋଷଣା କରିଛନ୍ତି । ବିଲ୍ ଯେତେ ଆସୁନା କାହିଁକି ପ୍ରତ୍ୟେକ ପରିବାରକୁ ପ୍ରଥମ ୧୦୦ ୟୁନିଟ ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦେଶରେ ଦରଦାମ ବୃଦ୍ଧିରୁ ଲୋକଙ୍କୁ ଆଶ୍ବସ୍ତ ଦେବା ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି ।

ଏନେଇ ଗେହଲଟ ଟ୍ବିଟ୍ କରିଛନ୍ତି, ପ୍ରତିମାସରେ ୧୦୦ ୟୁନିଟ ଯାଏଁ ବିଜୁଳି ଉପଭୋକ୍ତାଙ୍କ ବିଲ୍ ଶୂନ୍ୟ ରହିବ । ତାଙ୍କୁ କୌଣସି ଚାର୍ଜ ଦେବାକୁ ପଡିବ ନାହିଁ । ଖାସ୍‌ କରି ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଦୃଷ୍ଟିରେ ରଖି ମାସିକ ୨୦୦ ୟୁନିଟ ବିଦ୍ୟୁତ ଉପଭୋକ୍ତାଙ୍କୁ ପ୍ରଥମ ୧୦୦ ୟୁନିଟ ମାଗଣା ସହିତ ୨୦୦ ୟୁନିଟ ଯାଏଁ ସ୍ଥାୟୀ ଶୁଳ୍କ, ଫୁଏଲ ସରଚାର୍ଜ ଏବଂ ଅନ୍ୟାନ୍ୟ ଶୁଳ୍କ ଛାଡ କରାଯିବ । ଏହାର ବ୍ୟୟ ରାଜ୍ୟ ସରକାର ବହନ କରିବେ । ଏହି ନିଷ୍ପତ୍ତି ଜୁନ ୧ ଅର୍ଥାତ ଆଜିଠୁ ରାଜ୍ୟରେ କାର୍ଯ୍ୟକାରୀ ହେବ । ତେବେ ମଧ୍ୟପ୍ରଦେଶରେ ମଧ୍ୟ କଂଗ୍ରେସ ଦଳ ସମାନ ଘୋଷଣା କରିଛି । ଏଠାରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ଥିବାବେଳେ ଭୋଟରକୁ ଆକୃଷ୍ଟ କରିବାକୁ କଂଗ୍ରେସ ଏହିଭଳି ଲୋଭନୀୟ ପ୍ରତିଶ୍ରୁତି ଦେଇଛି ।