ଅଢ଼େଇ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ପ୍ରାଣୀ ଚିକିତ୍ସକ

ପୁରୀ,ଏନ୍ଏନ୍ଏସ୍: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିପିଲି ସହକାରୀ ପ୍ରାଣୀ ଚିକିତ୍ସାଳୟର ପ୍ରାଣୀ ଚିକିତ୍ସକ ଡ. ସୁରେଶ ଚନ୍ଦ୍ର ବେହେରା। ଜଣେ ବ୍ୟକ୍ତିଙ୍କଠାରୁ ଶ୍ରୀ ବେହେରା ୨୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ସୂଚନା ଅନୁଯାୟୀ ଗତ ଫୋନି ବାତ୍ୟାରେ ଭାଙ୍ଗି ଯାଇ ଥିବା କୁକୁଡ଼ା ଫାର୍ମର ପୁନରୁଦ୍ଧାର ପାଇଁ ସରକାରୀ ସହାୟତା ରାଶି ଘୋଷଣା କରାଯାଇଥିଲା। ୭୦ ହଜାର ଟଙ୍କା ଫୋନି ସହାୟତା ରାଶି ମଞ୍ଜୁର ନିମନ୍ତେ ତାପ ଚନ୍ଦ୍ର ଖଟେଇ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ସେ ୨୫ ଶହ ଟଙ୍କା ଲାଞ୍ଚ ଦାବି କରିଥିଲେ।

ପରେ ଏ ନେଇ ଭିଜିଲାନ୍ସରେ ଅଭିଯୋଗ ପରେ ପୂର୍ବ ଯୋଜନା ଅନୁଯାୟୀ ଶ୍ରୀ ବେହେରାଙ୍କୁ ପ୍ରତାପ ଟଙ୍କା ଦେଉଥିବା ବେଳେ ଭୁବନେଶ୍ବର ସ୍ଥିତ ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିଥିଲା। ଟଙ୍କା ଜବତ ସହିତ ଏ ନେଇ ଭିଜିଲାନ୍ସରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି। ଏଥିସହିତ ଭିଜିଲାନ୍ସ ଅଧିକ ଖୋଳତାଡ଼ ଆରମ୍ଭ କରିଛି।