ବରଗଡ/ଭୁବନେଶ୍ବର,ଏନ୍ଏନ୍ଏସ୍: ଆଉ ନାହାନ୍ତି ବରିଷ୍ଠ ନେତା ତଥା ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ଦେଢ ବର୍ଷ ହେବ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନଥିଲା । ବାରମ୍ବାର ସ୍ବାସ୍ଥ୍ୟବସ୍ଥା ବିଗୁଡୁଥିବାରୁ ସେ ଭୁବନେଶ୍ବରରେ ଚିକିତ୍ସିତ ହେଉଥିଲେ । ଅସୁସ୍ଥତା କାରଣରୁ ଆଗପରି ଆଉ ସେ ଲୋକ ସମ୍ପର୍କରେ ଆସୁନଥିଲେ l ତେବେ ଗତକାଲି (ରବିବାର) ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଛି ।
ସେ ପ୍ରଥମ ଥର ପାଇଁ ୧୯୯୦ ମସିହାରେ ଜନତା ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୯୫ରୁ ୨୦୦୦, ୨୦୦୯ ଏବଂ ୨୦୧୯ ମସିହାରେ ବିଜୁ ଜନତା ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୧୪ ବିଧାନସଭା ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଠାରୁ ପରାସ୍ତ ହୋଇଥିଲେ । ପରେ ୨୦୧୯ ନିର୍ବାଚନରେ ନିର୍ବାଚନରେ ଜିତି ଏଯାଏଁ ବିଜୁ ଜନତା ଦଳର ବିଧାୟକ ଥିଲେ ବିଜୟ ରଞ୍ଜନ । ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ 5 ଥର ବିଧାୟକ ହୋଇଥିଲେ । ସେ ଓଡିଶା ସରକାରରେ ଆଦୀବାସୀ ଓ ହରିଜନ କଲ୍ୟାଣ ବିଭାଗର ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ତାଙ୍କ ଅନ୍ତେ ପତ୍ନୀ, ଦୁଇ ଝିଅ ଓ ଗୋଟିଏ ପୁଅ ସେ ଛାଡିଯାଇଛନ୍ତି ପ୍ରଥମେ ତାଙ୍କ ପାର୍ଥିବ ଶରୀରକୁ ଦଳୀୟ କାର୍ଯ୍ୟାଳୟକୁ ନିଆଯାଇଛି । ସେଠା ତାଙ୍କୁ ଗାଡ ଅଫ ଅନର ଦିଆଯିବା ସହ ଦଳୀୟ ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହା ପରେ ବିଜୟ ସିଂଙ୍କୁ ତାଙ୍କ ଜନ୍ମମାଟି ପଦ୍ମପୁରରୁ ନିଆଯିବ ବୋଲି ସୂଚନା ମିଳିଛି ।
ବିଧାୟକ ବିଜୟଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ”ପଦ୍ମପୁର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଲୋକଙ୍କ କଲ୍ୟାଣ ପାଇଁ ଜନପ୍ରତିନିଧି ଭାବେ ସେ କରିଯାଇଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ । ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ।”
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧାନ ଶୋକ ପ୍ରକାଶ କରି କହିଛନ୍ତି, ” ପୂର୍ବତନ ମନ୍ତ୍ରୀ ତଥା ବରଗଡ ଜିଲ୍ଲା ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ସାମାଜିକ ଓ ରାଜନୈତିକ ଜୀବନରେ ସେ କରିଥିବା ଉଲ୍ଳେଖନୀୟ କାର୍ଯ୍ୟ ଗୁଡ଼ିକ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ।”
କିଛିଦିନ ତଳେ ଅସୁସ୍ଥତା କାରଣରୁ ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଭୁବନେଶ୍ୱର ଠାରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ବରିହା ଜଣେ ସ୍ପଷ୍ଟବାଦୀ ଜନପ୍ରତିନିଧି ଥିଲେ । ସେ ଜଣେ ପରୋପକାରୀ ମଣିଷ ମଧ୍ୟ ଥିଲେ । ସବୁବେଳେ ଲୋକଙ୍କ ପାଇଁ କାମ କରି ଆସୁଥିଲେ । ପଦ୍ମପୁର ଅଞ୍ଚଳ ତଥା ଅଞ୍ଚଳର ଜନସାଧାରଣଙ୍କର କିପରି ଉନ୍ନତି ହେବ ସେଥିପାଇଁ ସେ ସବୁବେଳେ ଚେଷ୍ଟିତ ଥିଲେ । ତାଙ୍କ ବିୟୋଗ ଖବର ଶୁଣି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।