ଯୋଧପୁର,ଏଜେନ୍ସି: ଭାରତୀୟ ବାୟୁସେନାରେ ସାମିଲ ହେଲା ଲାଇଟ କମ୍ବାଟ ହେଲିକପ୍ଟର (ହାଲୁକା ଲଢୁଆ ହେଲିକପ୍ଟର) ‘ପ୍ରଚଣ୍ଡ’ । ଏହି ଲାଇଟ କମ୍ବାଟ ହେଲିକପ୍ଟର ପାଖରେ ଯେକୌଣସି ସ୍ଥିତି, ପାଣିପାଗ ଓ ଉଚ୍ଚତାରେ ଉଡ଼ିବାର କ୍ଷମତା ରହିଛି । ଏହି ହେଲିକପ୍ଟରକୁ ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ (ଏଚ୍ଏଏଲ୍) ନିର୍ମାଣ କରିଛି । ଏହାର ଓଜନ ୬ ଟନ ରହିଛି । ଏହାର ବିଶେଷତ୍ବ ହେଉଛି ପାହାଡି ଅଞ୍ଚଳରେ ସହଜରେ ପୂର୍ଣ୍ଣ ଦକ୍ଷତା ସହ ମିସାଇଲ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ସହିତ ଉଡାଣ ଭରିପାରିବ । ଏହା ସହିତ ଶତ୍ରୁର ରାଡାରରୁ ମଧ୍ୟ ସହଜରେ ମୁକୁଳି ପାରିବ । ଏହାର ଗଠନ ଏହିପରି ହୋଇଛି ଯେ ଗୁଳିର କିଛି ପ୍ରଭାବ ପଡିବ ନାହିଁ । ଏହା ସମୁଦ୍ରରେ ମଧ୍ୟ ଲଢିପାରିବ । ଏହାର ସ୍ପିଡ ଉପରେ ପବନର ପ୍ରଭାବ କମ ରହିବ ।
ସ୍ବଦେଶୀ ନିର୍ମିତ ହାଲୁକା ତଥା ଅତ୍ୟାଧୁନିକ ଲଢୁଆ ହେଲିକପ୍ଟର ଏଲ୍ସିଏଚ୍କୁ ଆଜି ଭାରତୀୟ ବାୟୁସେନାରେ ସାମିଲ କରାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରାଜସ୍ଥାନର ଯୋଧପୁର ଏୟାର ଫୋର୍ସ ବେସ୍ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ୍ବିଙ୍ଗ କମାଣ୍ଡର ୟୁନିଫର୍ମ ପରିଧାନ କରି ଏକ ଲଢୁଆ ହେଲିକପ୍ଟରରେ ଉଡାଣ ମଧ୍ୟ ଭରିଛନ୍ତି । ଏହି ହେଲିକପ୍ଟରର ନାମକରଣ ପ୍ରଚଣ୍ଡ କରାଯାଇଛି ।