କରୋନା ମୁକାବିଲା ପାଇଁ ବେଦାନ୍ତ ଯୋଗାଇଲା ଅମ୍ଳଜାନ ସିଲିଣ୍ଡର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଦେଶରେ କରୋନା ମହାମାରୀର ଭୟଙ୍କର ପରିସ୍ଥିତି ଏବଂ ଅମ୍ଳଜାନର ଅଭାବକୁ ଦୃଷ୍ଟିରେ ରଖି ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦର ଉତ୍ପାଦକ ଝାରସୁଗୁଡ଼ା ବେଦାନ୍ତ ଲିମିଟେଡ଼ ସହଯୋଗର ହାତ ବଢ଼ାଇଛି। ଜିଲ୍ଲା ମୁଖ୍ୟ କୋଭିଡ ଚିକିତ୍ସାଳୟକୁ ବେଦାନ୍ତ ପ୍ରଥମ ପର୍ଯ୍ୟାୟରେ ଆବଶ୍ୟକୀୟ ଅମ୍ଳଜାନ ସିଲିଣ୍ଡର ଯୋଗାଇ ଦେଇଛି। କମ୍ପାନୀ ଦ୍ୱାରା ଆହୁରି ଅଧିକ ସିଲିଣ୍ଡର କ୍ରୟ କରାଯାଉଛି ଯାହା ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ କୋଭିଡ ଚିକିତ୍ସାଳୟକୁ ଯୋଗାଇ ଦିଆଯିବ। ଜିଲ୍ଲାରେ ଅମ୍ଳଜାନ ଅଭାବରେ ଉପୁଜୁଥିବା କରୋନାର ସାମ୍ପ୍ରତିକ ପରିସ୍ଥିତିକୁ ମୁକାବିଲା କରିବା ନିମନ୍ତେ କମ୍ପାନୀ ଏହି ପଦକ୍ଷେପ ଗ୍ରହଣ କରିଛି। ବେଦାନ୍ତ ଲିଃ, ଝାରସୁଗୁଡ଼ା କରୋନା ମହାମାରୀର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସହିତ ସର୍ବଦା ଛିଡ଼ା ହୋଇଆସିଛି। ଜିଲ୍ଲା କୋଭିଡ଼ ଚିକିତ୍ସାଳୟକୁ ୧୧୦ଟି ଶଯ୍ୟା, ୧୦ଟି ଆଇସିୟୁ, ୧୦ଟି ଭେଣ୍ଟିଲେଟର ସହିତ ଅକ୍ସିଜେନ କନ୍ସିନଟ୍ରେଟର, ପିପିଇ କିଟ, ୬ ହଜାରଟି ଏନ୯୫ ମାସ୍କ ଏବଂ ଆବଶ୍ୟକୀୟ ଔଷଧ ଯୋଗାଇ ଦେଇଛି। ଏକ ସମ୍ପୂର୍ଣ୍ଣ ସଜ୍ଜିତ କୋଭିଡ ଆମ୍ବୁଲାନ୍ସ ଏବଂ ଷ୍ଟାଫ ସହିତ ଏକ ଡିଜି ସେଟ ମଧ୍ୟ ଯୋଗାଇ ଦେଇଛି। ଏଥିସହିତ ୩,୩୮୫ରୁ ଊର୍ଦ୍ଧ୍ୱ ପରିବାରଙ୍କୁ ରାସନ ଯୋଗାଇଦେବା ସହ ଆଖପାଖ ୬୦ରୁ ଊର୍ଦ୍ଧ୍ୱ ସର୍ବସାଧାରଣ ସ୍ଥାନକୁ ଅନବରତ ସାନିଟାଇଜ କରୁଛି। କମ୍ପାନୀ ୧.୬୪ ଲକ୍ଷରୁ ଊର୍ଦ୍ଧ୍ୱ ମାସ୍କ ମାଗଣାରେ ଯୋଗାଇ ଦେଇଛି।

ଏହି ପରିପ୍ରେକ୍ଷୀରେ ବେଦାନ୍ତ ସିଇଓ ସି.ଏନ.ସିଂହ କହିଛନ୍ତି ଯେ, “ଏହି ଜରୁରୀକାଳୀନ ଆବଶ୍ୟକତା ସମୟରେ ସମ୍ପ୍ରଦାୟ ଏବଂ ଜିଲ୍ଲା ପ୍ରଶାସନ ସହିତ ଛିଡ଼ା ହେବା ଆମର ଏକମାତ୍ର କର୍ତ୍ତବ୍ୟ। ଜିଲ୍ଲା କୋଭିଡ ଡାକ୍ତରଖାନା ଝାରସୁଗୁଡ଼ାକୁ ଅମ୍ଳଜାନ ସିଲିଣ୍ଡର ଯୋଗାଣକୁ ଆମେ ଠିକ୍ ସମୟରେ ସୁନିଶ୍ଚିତ କରିଛୁ ଯଦ୍ୱାରା କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ନିରବଚ୍ଛିନ୍ନ ଅମ୍ଳଜାନ ଯୋଗାଣ ବଜାୟ ରହିବ। ସାମ୍ପ୍ରତିକ ପରିସ୍ଥିତିକୁ ହ୍ରାସ କରିବା ପାଇଁ ସମସ୍ତ ସମ୍ଭାବ୍ୟ ସହଯୋଗ ଆମେ ନିଶ୍ଚିତ କରିବୁ ବୋଲି ଶ୍ରୀ ସିଂହ କହିଛନ୍ତି। ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଧିକାରୀ ଡା. ଲାଲମୋହନ ରାଉତରାୟ କମ୍ପାନୀ ସହାୟତାକୁ ସମର୍ଥନ କରିବା ସହିତ ଏକ ଦାୟିତ୍ୱବାନ କର୍ପୋରେଟର ଭାବେ ବେଦାନ୍ତ ଏହି କୋଭିଡ଼ ମହାମାରୀ ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ଏବଂ ଝାରସୁଗୁଡ଼ାବାସୀଙ୍କ ସହ ସର୍ବଦା ଛିଡ଼ା ହୋଇଛି। ଜିଲ୍ଲା କୋଭିଡ ଚିକିତ୍ସାଳୟ ପାଇଁ ଶଯ୍ୟା, ଆଇସିୟୁ, ଭେଣ୍ଟିଲେଟର, ଅମ୍ଳଜାନ ସିଲିଣ୍ଡର, ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ସାହାଯ୍ୟ ବେଦାନ୍ତ କରିଛି ଯାହା ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଡା. ରାଉତରାୟ କହିଛନ୍ତି।