ଉତ୍କଳ କନିକା ଗ୍ୟାଲେରିଆ ଦ୍ୱାରା ଜବରଦଖଲକୁ ବିରୋଧ କରି ଭୁବନେଶ୍ୱର ଜିଲ୍ଲା ବିଜେପିର ବିକ୍ଷୋଭ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗୁରୁବାର ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଉତ୍କଳ ଗ୍ୟାଲେରିଆ ମଲ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ମହାନଗର ନିଗମ ନିକଟସ୍ଥ ଉକ୍ତ ମଲ୍ଟି ସରକାରୀ ଜାଗା ଜବରଦଖଲ ଏବଂ ଅନଧିକାର ଭାବେ ହଡ଼ପ କରିବା ଅଭିଯୋଗ କରି ବିଜେପି ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ପ୍ରକାଶ ଥାଉକି ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ମାଉସୀ ‘ମା’ ଛକରୁ କଳ୍ପନା ଛକ ପର୍ଯ୍ୟନ୍ତ ରାସ୍ତାକୁ ସମ୍ପ୍ରସାରଣ କରି ଚାରିଥାକିଆ ରାସ୍ତା କରିବାକୁ ରାଜ୍ୟ ସରକାର ଦେଢ଼ ବର୍ଷ ତଳେ ଟେଣ୍ଡର କରିଥିଲେ। ପ୍ରାୟ ଏକ କୋଟି ଷାଠିଏ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ମଧ୍ୟ ଦିଆଯାଇଥିଲା। କାର୍ଯ୍ୟ ଆରମ୍ଭ ପାଇଁ ଜବରଦଖଲ ହଟାଇବାକୁ ଉଦ୍ୟମ ବି ହୋଇଥିଲା। ସେହି ଅଞ୍ଚଳରେ କିଛି ଜବରଦଖଲ ଉଠାଦୋକାନୀଙ୍କ ସମେତ ଛୋଟଛୋଟ କନଷ୍ଟ୍ରକସନ  ଭାଙ୍ଗି ଦେଲାପରେ ଉତ୍କଳ କନିକା ଗ୍ୟାଲେରିଆ ମଲର ବେଆଇନ୍ ଜବରଦଖଲ ପାଖରେ ଅଟକି ଯାଇଥିଲେ ରାଜ୍ୟ ସରକାର।

 ଉତ୍କଳ କନିକା ଗ୍ୟାଲେରିଆ ମଲର ଜବରଦଖଲକୁ ହଟାଇବା ପରିବର୍ତ୍ତେ ତା ନିକଟରେ ହାତ ଟେକି ଦେଇ ଖୋଦ୍ ରାଜ୍ୟ ସରକାର ଏବଂ ଭୁବନେଶ୍ୱର ମହାନଗର ନିଗମ ପ୍ରଶାସନ ନିଜକୁ ସମର୍ପି ଦେଇଥିବା ବିଜେପି ଅଭିଯୋଗ କରିଛି। ଦେଢ଼ ବର୍ଷ ତଳେ ହୋଇଥିବା ଟେଣ୍ଡର ଓ ନିର୍ମାଣ କାର୍ଯ୍ୟାଦେଶକୁ ବାତିଲ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାର ପୂର୍ବ ପ୍ଲାନିଙ୍ଗ୍ ଓ ଡିଜାଇନକୁ ଡଷ୍ଟବିନଜୁ ପକାଇ ଦେଇ ଚାରିଥାକିଆ ରାସ୍ତା ନିର୍ମାଣର ନୂଆ ରୂପ ପ୍ରସ୍ତୁତ କରିଛନ୍ତି ବୋଲି ଅଭିଯୋଗ ହେଉଛି। ରାଜ୍ୟ ସରକାର ନୂଆ ରୂପରେ ଉତ୍କଳ କନିକା ଗ୍ୟାଲେରିଆ ମଲର ଜବରଦଖଲରେ ଥିବା ସୌନ୍ଦର୍ଯ୍ୟକରଣ ସ୍ଥାନକୁ ସୁରକ୍ଷିତ ରଖାଯାଇ ସରକାର ନିଜେ ବହୁତ କ୍ଷତି ମୁଣ୍ଡାଇ ଦୁର୍ଭାଗ୍ୟଜନକ ନିଷ୍ପତ୍ତି ନେଇଛନ୍ତି। ଯଦ୍ଦ୍ୱାରା ଭୁବନେଶ୍ୱର ମହାନଗର ନିଗମ କୋଠା, ରାଜ୍ୟ ସଂଗ୍ରହାଳୟ, ଭକଳା ମଣ୍ଡପ ଓ ବିଜେବି କଲେଜକୁ ବହୁତ କ୍ଷତି ପହଞ୍ଚାଇବ। ଏହି ସବୁ ସଂସ୍ଥାର କିଛି ଅଂଶକୁ ଭାଙ୍ଗିବା ଓ ପୁଣି ଗଢିବାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ବାଧ୍ୟ ହେବେ।

ରାଜ୍ୟବାସୀଙ୍କ ଟିକସ ଅର୍ଥ ଅଯଥା ବ୍ୟୟ ହେବ। ଅଥଚ ରାଜ୍ୟ ସରକାର ଉତ୍କଳ କନିକା ଗ୍ୟାଲେରିଆ ମଲ ଭଳି ଏକ ଘରୋଇ ସଂସ୍ଥାର ଜବରଦଖଲରେ ହାତ ମାରିବାକୁ ଡରୁଛନ୍ତି ବୋଲି ଜିଲ୍ଲା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ତେଣୁ ସରକାର ତୁରନ୍ତ ସରକାରୀ ସଂସ୍ଥା ଓ ସରକାରୀ ଅର୍ଥରେ କ୍ଷତି ଆଣୁଥିବା ନୂଆ ରୂପ ଲେଖକୁ ବାତିଲ କରିବା, ଉତ୍କଳ କନିକା ଗ୍ୟାଲେରିଆ ମଲର ଜବରଦକଲକୁ ତୁରନ୍ତ ହଟାଇ ସରକାରୀ ସଂସ୍ଥା ଓ ଜନସାଧାରଣଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବା ପାଇଁ ଦାବି କରିଛି। ଆଜିର ଏହି ପ୍ରତିବାଦ ସଭାରେ ଦଳର ବରିଷ୍ଠ ନେତା ଦିଲ୍ଲୀପ ମହାନ୍ତିି, ଜଗନ୍ନାଥ ପ୍ରଧାନଙ୍କ ସମେତ ଯୁବମୋର୍ଚ୍ଚା ସଭାପତି ଅଭିଶେକ ଆଚାର୍ଯ୍ୟ ଜିଲ୍ଲା ଏବଂ ମୋର୍ଚ୍ଚା ଓ ମଣ୍ଡଳର ସମସ୍ତ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହିଥିଲେ।