ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ମାସ ପର୍ଯ୍ୟନ୍ତ ବୃଦ୍ଧି, ଓଡ଼ିଆଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ସଞ୍ଜିବନୀ: ସମୀର ମହାନ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗରିବ, କୃଷକ ଏବଂ ଶ୍ରମିକ ସମେତ ଦେଶର ୮୦ କୋଟିରୁ ଊଦ୍ଧ୍ୱର୍ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଯୋଜନା ଅନୁଯାୟୀ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମାସିକ ମୁଣ୍ଡ ପିଛା ୫ କେଜି ଚାଉଳ କିମ୍ବା ଗହମ ଏ ପ୍ରତି ପରିବାରକୁ ୧ କିଲୋ ଡାଲି ଆଗାମୀ ୫ ମାସ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ। ଏଥିପାଇଁ ୯୦ ହଜାର କୋଟି ବ୍ୟୟ ବରାଦ କରାଯାଇଛି। ଏହାଦ୍ୱାରା ଓଡ଼ିଶାର ଜନତା ଅଧିକ ଉପକୃତ ହେବେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଗରିବ ଓଡ଼ିଆଙ୍କ ପାଇଁ ସଞ୍ଜିବନୀ ସଦୃଶ୍ୟ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।

ଗୁରୁବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଓଡ଼ିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯୨ ଲକ୍ଷ ୯୮ ହଜାର ୫ ଶହ ୮୨ ପରିବାରର ୩ କୋଟି ୨୪ ଲକ୍ଷ ୭୩ ହଜାର ୩ଶହ ୭୦ ଜଣ ହିତାଧିକାରୀ ଏହାର ଲାଭ ଉଠାଇ ପାରିବେ। କରୋନା ସମୟରେ ଯେଉଁମାନେ ଖାଦ୍ୟ ସୁରକ୍ଷା ସାମିଲ ହୋଇପାରିନାହାନ୍ତି ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏଭଳି ଏକ ମହତ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ମହାନ୍ତି ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜନଧନ ଯୋଜନାରେ ୧୬,୦୭,୭୭୫ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ୬,୩୨୬.୮୮ କୋଟି ଟଙ୍କା ଡିପୋଜିଟ କରାଯାଇଛି।

ଗତ ୩ ମାସ ମଧ୍ୟରେ ପାଖାପାଖି ୨୦ ଲକ୍ଷ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଛନ୍ତି। ସେମାନଙ୍କୁ ରୋଜଗାର ଯୋଗାଇଦେବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ସେମାନଙ୍କୁ ନିଜ ଗ୍ରାମରେ ଭିନ୍ନ ଭିନ୍ନ ୨୫ ଟି କାମରେ ରୋଜଗାର ଯୋଗାଇ ଦିଆଯିବ। ଓଡ଼ିଶା ଭଳି ରାଜ୍ୟରେ ଥିବା ଲକ୍ଷାଧିକ ପ୍ରବାସୀ ଶ୍ରମିକ ଏହାର ଲାଭ ଉଠାଇ ପାରିବେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏବଂ ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ।