ରୁଷିଆକୁ ଆମେରିକାର ଚେତାବନୀ : ନାଭାଲନୀଙ୍କ ମୃତ୍ୟୁ ହେଲେ ସାଂଘାତିକ ହେବ ପରିଣାମ

ୱାଶିଂଟନ୍, ଏଜେନ୍ସି: ରୁଷିଆରେ ଅନଶନ ଚଳାଇଥିବା କ୍ରେମଲିନ ସମାଲୋଚକ ଆଲେକ୍ସି ନାଭାଲନୀଙ୍କ ମୃତ୍ୟୁ ହେଲେ ରୁଷିଆକୁ ତା’ର ପରିଣାମ ଭୋଗ କରିବାକୁ ପଡ଼ିବ ବୋଲି ଆମେରିକାର ଜାତୀୟ ନିରାପତ୍ତା ପରାମର୍ଶଦାତା ଜ୍ୟାକ୍ ସୁଲିଭାନ୍ ଚେତାବନୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ କଡ଼ା ସମାଲୋଚକ ନାଭାଲନୀଙ୍କୁ ଗତ ଜାନୁଆରୀ ମାସରେ ଗିରଫ କରାଯାଇଥିଲା। ଜର୍ମାନୀରୁ ଚିକିତ୍ସିତ ହୋଇ ବିଷକ୍ରିୟାଜନିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିବା ନାଭାଲନୀ ରୁଷିଆ ପ୍ରତ୍ୟାବର୍ତ୍ତନ କରିବା ପରେ ଗିରଫ ହୋଇଥିଲେ। ‘ମସ୍କୋ ଷଡ଼ଯନ୍ତ୍ର’ ପାଇଁ ତାଙ୍କୁ ବିଷ ଦିଆଯାଇଥିବା ସେ ଅଭିଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ସୁଲିଭାନ୍ ଗଣମାଧ୍ୟମକୁ କହିଛନ୍ତି, ଏ ସମ୍ପର୍କରେ ଆମେ ଅନୁଧ୍ୟାନ କରୁଛୁ। ତେବେ ଆମେ ଜଣାଇ ଦେବାକୁ ଚାହୁଁ ଯେ ନାଭାଲନୀଙ୍କ ମୃତ୍ୟୁ ହେଲେ ରୁଷିଆକୁ ନିଶ୍ଚିତ ରୂପେ ଏହାର ପରିଣାମ ଭୋଗ କରିବାକୁ ପଡ଼ିବ। ଅସୁସ୍ଥ ଥିବା ନାଭାଲନୀ ଉପଯୁକ୍ତ ଡାକ୍ତରୀ ଚିକିତ୍ସା ଦାବି କରି ଗତ ମାର୍ଚ୍ଚ ୩୧ ତାରିଖରୁ ଅନଶନ ଚଳାଇଛନ୍ତି। ଇତିମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଘଟୁଥିବାରୁ ତାଙ୍କ ଝିଅ ଡେରିଆ ଟ୍ୱିଟ୍ କରି ଉଲ୍ଲେଖ କରିଛନ୍ତି, ‘ବାପାଙ୍କୁ ଦେଖିବା ପାଇଁ ଜଣେ ଡାକ୍ତରଙ୍କୁ ଅନୁମତି ମିଳୁ।’ ତାଙ୍କୁ ତୁରନ୍ତ ଆଇସିୟୁକୁ ସ୍ଥାନାନ୍ତର କରାଯିବାକୁ କେତେକ ଡାକ୍ତର ଇତିମଧ୍ୟରେ ମତ ଦେଇଛନ୍ତି। ନାଭାଲନୀଙ୍କ ଚିକିତ୍ସା ନିମନ୍ତେ ଅନ୍ତର୍ଜାତୀୟ ସ୍ତରରେ ପ୍ରତିବାଦର ସ୍ୱର ଉଠିଛି। ଏଥିରେ ଗତ ଶନିବାର ସାମିଲ ହୋଇଛନ୍ତି ଫ୍ରାନ୍ସ ଓ ଜର୍ମାନୀ।