ରାଜ୍ୟ ବିଜେପିର କୋଭିଡ-୧୯ ସମୀକ୍ଷା ବୈଠକ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଓଡ଼ିଶାର କୋଭିଡ ସ୍ଥିତି ସଂପର୍କରେ ଆଜି ରାଜ୍ୟ ବିଜେପି ପକ୍ଷରୁ ଏକ ସମୀକ୍ଷା ହୋଇଛି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଏହି ସମୀକ୍ଷା ବୈଠକ ଆୟୋଜିତ ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ପ୍ରମୁଖ ଏଥିରେ ଯୋଗଦେଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଟିକାକରଣ ଓ ମାସ୍କ ବଣ୍ଟନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି।

ବିଜେପି କାର୍ଯ୍ୟକର୍ତ୍ତା ମାନେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଟିକାକରଣ କାର୍ଯ୍ୟରେ ଜନସାଧାରଣଙ୍କୁ ସହଯୋଗ କରିବା ସାଙ୍ଗକୁ ମାସ୍କ ଓ ସାନିଟାଇଜର ବଣ୍ଟନ, ପ୍ଲାଜମା ଦାନ, ହସ୍ପିଟାଲରେ ଅସହାୟ ରୋଗୀଙ୍କୁ ସାହାଯ୍ୟ କରିବାରେ ନିଜକୁ ନିୟୋଜିତ କରିବାକୁ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି। ରାଜ୍ୟରେ ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ନୂଆପଡ଼ା, ବରଗଡ଼, କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ କରୋନାର ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଏହିସବୁ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଚିକିତ୍ସା ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଫେଲ୍ ମାରିଛି ଏବଂ ଉନ୍ନତମାନର ଚିକିତ୍ସା ଅଭାବରୁ ଅନେକ ଲୋକ କରୋନାରେ ଜୀବନ ହାରୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ଏସମସ୍ତ ଜିଲ୍ଲାକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇ କରୋନା ମହାମାରୀ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି। ସେହିଭଳି ରାଜ୍ୟବାସୀଙ୍କୁ କରୋନା ଗାଇଡ଼ଲାଇନ ମାନିବା ସହ ସତର୍କତା ବଜାୟ ରଖିବାକୁ ସେ ନିବେଦନ କରିଛନ୍ତି। ଏହି ଭର୍ଚୁଆଲ ସମୀକ୍ଷା ବୈଠକରେ ରାଜ୍ୟର ସମସ୍ତ ବିଜେପି ସାଂସଦ, ବିଧାୟକ, ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ଡ. ଲେଖାଶ୍ରୀ ସାମନ୍ତସିଂହାର, ବରିଷ୍ଠ ନେତୃବୃନ୍ଦ, ରାଜ୍ୟ ଓ ଜିଲ୍ଲା ପଦାଧିକାରୀ, ଜିଲ୍ଲା ସଭାପତିଙ୍କ ସମେତ ବିଜେପିର ସାଂସଦ ଓ ବିଧାୟକ ପ୍ରାର୍ଥୀମାନେ ସାମିଲ ହୋଇଥିଲେ।