ଏଣିକି ସବୁ ଶନିବାର-ରବିବାର ସଟଡାଉନ୍

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଏହାକୁ ପ୍ରତିହତ କରିବା ଲାଗି ରାଜ୍ୟ ସରକାର ଆଜି ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ପୂର୍ବରୁ ୧୦ଟି ସୀମାବର୍ତ୍ତୀ ଜିଲ୍ଲାରେ ଶନିବାର-ରବିବାର (ସପ୍ତାହାନ୍ତ) ସଟଡାଉନ୍ ଜାରି ରହିଥିବାବେଳେ ଏହାକୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ ଜେନା ଘୋଷଣା କରିଛନ୍ତି। ଆସନ୍ତା ୨୪ ତାରିଖ ଠାରୁ ଏହା ଲାଗୁ କରାଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି।
ସେମାବାର ଏସଆରସି ଶ୍ରୀ ଜେନା କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଲୋକଙ୍କ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେତେକ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ରାଜ୍ୟବ୍ୟାପୀ ନାଇଟ୍‍ କର୍ଫ୍ୟୁ ବଳବତ୍ତର ଥିବାବେଳେ ଏଣିକି ରାଜ୍ୟର ବାକି ୨୦ଟି ଜିଲ୍ଲାର ସହରାଞ୍ଚଳରେ ପ୍ରତି ଶନିବାର ଓ ରବିବାର ସଟଡାଉନ୍‍ ଘୋଷଣା କରାଯାଇଛି। ପୂର୍ବରୁ ସୀମାବର୍ତ୍ତୀ ୧୦ଟି ଜିଲ୍ଲା ଯଥା- ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ସାପ୍ତାହିକ ସଟଡାଉନ୍‍ ରହିଛି। ଏବେ ପଶ୍ଚିମ ଓଡ଼ିଶାର ଏହି ୧୦ଟି ଜିଲ୍ଲାରେ ସନ୍ଧ୍ୟା ୬ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‍ କର୍ଫ୍ୟୁ ବଳବତ୍ତର ରହିଥିଲାବେଳେ ବାକି ୨୦ଟି ଜିଲ୍ଲାରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‍ କର୍ଫ୍ୟୁ ପୂର୍ବଭଳି ଜାରି ରହିଛି। ତେବେ ଏହା କେବଳ ସହରାଞ୍ଚଳ (ପୌର ଓ ଏନଏସି) ପାଇଁ ଲାଗୁ ଅଛି। ପଡ଼ୋଶୀ ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ ସମେତ ଦିଲ୍ଲୀ, ଗୁଜୁରାଟ, ମହାରାଷ୍ଟ୍ର ଆଦିରେ କୋଭିଡ୍‍ ସଂକ୍ରମିତ ବୃଦ୍ଧି ପାଉଥିବା ଯୋଗୁ ସେଠାରେ ସଟଡାଉନ୍‍ ଘୋଷଣା ହୋଇଛି। ଓଡ଼ିଶାରେ କୋଭିଡ୍‍ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ସାପ୍ତାହିକ ସଟଡାଉନ୍‍ ପାଇଁ ନିଷ୍ପତ୍ତି ନେଇଛନ୍ତି।