‘ସେଲ୍‌’ ଚେୟାର୍‌ମ୍ୟାନ୍‌ଙ୍କୁ କରୋନା, ନୂଆଦିଲ୍ଲୀ ଲୋଧିରୋଡ୍‌ କମ୍ପାନୀ ମୁଖ୍ୟ କାର୍ଯ୍ୟାଳୟ ବନ୍ଦ

ନୂଆଦିଲ୍ଲୀ,ଏଜେନ୍ସି: ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌(ସେଲ୍‌) ଚେୟାରମ୍ୟାନ ଅନୀଲ୍‌ କୁମାର ଚୌଧୁରୀଙ୍କ କୋଭିଡ୍‌-୧୯ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି। ଏହାପରେ ‘ସେଲ୍‌’ କର୍ପୋରେଟ୍‌ କାର୍ଯ୍ୟାଳୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି ବୋଲି ଜଣାପଡ଼ିଛି। ଏନେଇ ନୂଆଦିଲ୍ଲୀ ଲୋଧିରୋଡ୍‌ କମ୍ପାନୀ ମୁଖ୍ୟ କାର୍ଯ୍ୟାଳୟ ବନ୍ଦ କରାଯାଇଛି।

‘ସେଲ୍‌’ ଚେୟାର୍‌ମ୍ୟାନ୍‌ ଅନୀଲ୍‌ କୁମାର ଚୌଧୁରୀ କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ କ୍ବାରେଣ୍ଟାଇନ୍‌ରେ ରହିବା ପାଇଁ କୁହାଯାଇଛି। ଜଣେ କରୋନା ଆକ୍ରାନ୍ତ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେହି କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବାରୁ ଜୁନ୍‌ ୧ରେ ‘ସେଲ୍‌’ ଚେୟାର୍‌ମ୍ୟାନ୍‌ଙ୍କ କୋଭିଡ୍‌-୧୯ ପରୀକ୍ଷା କରାଯାଇଥିଲା। ଏହାପରେ ଲଗାତାର ଭାବେ ତିନି ଥର ତାଙ୍କର କରୋନା ପରୀକ୍ଷା ହୋଇଥିଲା।

ସେହିପରି ‘ସେଲ୍‌’ କର୍ପୋରେଟ୍‌ କାର୍ଯ୍ୟାଳୟର ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ କରୋନା ପରୀକ୍ଷା କରାଯାଇଥିଲା ଏବଂ ସେମାନଙ୍କଠାରେ ମଧ୍ୟ କୋଭିଡ୍‌-୧୯ ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ଏବେ ‘ସେଲ୍‌’ କର୍ପୋରେଟ୍‌ କାର୍ଯ୍ୟାଳୟ କର୍ମଚାରୀଙ୍କଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ତେବେ ‘ସେଲ୍‌’ କର୍ପୋରେଟ୍‌ କାର୍ଯ୍ୟାଳୟ କର୍ମଚାରୀ କିଭଳି ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ନ ହେବେ ସେଥିପାଇଁ କମ୍ପାନୀ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି।

ପ୍ରତିଦିନ କମ୍ପାନୀ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ କୋଭିଡ୍‌-୧୯ ପରୀକ୍ଷା କରାଯାଉଛି। ସେମାନଙ୍କ ମଧ୍ୟରୁ ୨୫ରୁ ୩୦ ଜଣଙ୍କଠାରେ କୋଭିଡ୍‌-୧୯ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି। ସେମାନେ ସମସ୍ତେ ଆଇସୋଲେସ୍‌ରେ ରହିଛନ୍ତି।