କ୍ୟାବିନେଟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଠାରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା

ଖଡ଼ିଆଳ,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରୀ ମଣ୍ଡଳର ଅଦଳବଦଳ ପରେ ନୂତନ କ୍ୟାବିନେଟ ମନ୍ତ୍ରୀ ଭାବରେ ଦାୟିତ୍ବ ପାଇଥିବା ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ବିଜେଡି ପକ୍ଷରୁ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି। ଯୋଜନା ଓ ସଂଯୋଜନା ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରି ଶପଥ ଗ୍ରହଣ ପରେ ପ୍ରଥମ ଥର ପାଇଁ ଆଜି ସେ ନୂଆପଡ଼ା ଜିଲ୍ଲା ତଥା ଖଡ଼ିଆଳ ଗସ୍ତରେ ଆସିଥିଲେ।

ଏହି ଅବସରରେ ଖଡ଼ିଆଳ ବ୍ଲକ୍‌ ପଦ୍ମପୁର ଠାରୁ ଏକ ବିଶାଳ ବାଇକ୍‌ ଶୋଭାଯାତ୍ରାରେ ଦଳୀୟକର୍ମୀ ତାଙ୍କୁ ସହରର ଆମ୍ବେଦକର ଛକକୁ ନେଇଥିଲେ। ସେଠାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ ପରେ ସେଠାରୁ ଖଡ଼ିଆଳ ସହରରେ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ। ଶୋଭାଯାତ୍ରାରେ ସହର ପରିକ୍ରମା ପରେ ଖଡ଼ିଆଳ ଅଗ୍ରେସନ ଭବନ ଠାରେ ବିଜେଡି କର୍ମୀ ସମ୍ମିଳନୀକୁ ସମ୍ବୋଧନ କରିଥିଲେ। ଏହି କାର୍ଯକ୍ରମରେ ବିଜେଡିର ଶତାଧିକ କର୍ମୀ ଉପସ୍ଥିତ ଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ମନୋଜ ମିଶ୍ର, ଉପ ସଭାପତି ମନୋଜ ଦୀପ, ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ଜିଲ୍ଲା ବିଜେଡି ପ୍ରଭାରୀ ହରେକୃଷ୍ଣ ଷଡ଼ଙ୍ଗୀ, ଜିଲ୍ଲା ପରିଷଦ ଅଧକ୍ଷା ଡଲି ମାଝୀ, ଉପାଧ୍ୟକ୍ଷା ଦୀପିକା କୌଶଲ୍ୟା ଦୀପ, ଜିଲ୍ଲା ପରିଷଦ ସଭ୍ୟ ଅବନୀ ଯୋଶୀ, ମାଲ୍ୟବନ୍ତ ସୁନା, ଚିତ୍ତରଞ୍ଜନ ବେହେରା, ଭାନୁ ପ୍ରତାପ ସିଂ ମାଝୀ, ତନୟା ଶବର, ଯାଜ୍ଞସେନୀ କଟା, ପୁଷ୍ପାଞ୍ଜଳି ଗୁଆଳ, ସ୍ମୃତି ସିଂ ମାଝୀ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାଣ୍ଡେ, ଜିଲ୍ଲା ବିଜେଡି ଯୁବ ଜନତା ଦଳ ସଭାପତି ଟିଟୁ ପଣ୍ଡା ତଥା ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ।