ପଲକ ତିୱାରୀଙ୍କୁ ମିଳିଲା ସଲମାନଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘କଭି ଇଦ୍ କଭି ଦିବୀଲୀ’କୁ ନେଇ ଚର୍ଚ୍ଚା ଜୋର ଧରିଛି। ବିବାଦ କାରଣରୁ ଫିଲ୍ମର ନାଁକୁ ବଦଳାଇ ‘ଭାଇଜାନ’ ରଖାଯାଇଛି । ଖାସ୍ କଥାଟି ହେଲା, ଫିଲ୍ମରେ ବିଗବସ୍ ଫେମ୍ ସେହେନାଜ ଗିଲଙ୍କ ପରେ ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀଙ୍କୁ ମଧ୍ୟ ସ୍ଥାନ ମିଳିଛି । ଫିଲ୍ମରେ ସିଙ୍ଗର ତଥା ଅଭିନେତା ଜସୀ ଗିଲଙ୍କୁ ପଲକଙ୍କ ବିପକ୍ଷରେ ଦେଖିବାକୁ ମିଳିବ । ପଲକଙ୍କୁ ନିଜେ ସଲମାନ ଖାନ ଚୟନ କରିଛନ୍ତି । ଜସୀଙ୍କ ସହ ପଲକଙ୍କର ଏକ ଜବରଦସ୍ତ ଗୀତ ଫିଲ୍ମରେ ଦେଖିବାକୁ ମିଳିବ । ପଲକ ସୁଟିଂ ୟୁନିଟରେ ସାମିଲ ହୋଇ ସାରିଥିବା ଜଣାପଡ଼ିଛି ।

ଫରହାଦ ସାମଜୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମରେ ଭେଙ୍କଟେଶ, ପୂଜା ହେଗଡେ, ରାଘବ ଜୁୟାଲ ଓ ସିଦ୍ଧାର୍ଥ ନିଗମ ମଧ୍ୟ ନଜର ଆସିବେ । ପଲକ ନିଜ ଷ୍ଟାଇଲ ଓ ଡ୍ୟାନ୍ସ ବଳରେ ଦର୍ଶକଙ୍କୁ ସର୍ବଦା ପ୍ରଭାବିତ କରିଛନ୍ତି । ଏଥର ଦର୍ଶକଙ୍କୁ ତାଙ୍କ ଅଭିନୟ ମଧ୍ୟ ଦେଖିବାର ସୁଯୋଗ ମିଳିବ ।