ଧନବାଦରେ ନିର୍ମାଣାଧୀନ ଅଣ୍ଡରପାସ ଉପରେ ଯାଉଥିଲା ମାଲଗାଡ଼ି, ମାଟିରେ ଚାପି ହୋଇ ୪ ଶ୍ରମିକ ମୃତ

ଧନବାଦ,ଏଜେନ୍ସି: ଝାଡ଼ଖଣ୍ଡର ଧନବାଦରେ ରେଳବାଇ ଟ୍ରାକ୍ ତଳେ ଅଣ୍ଡରପାସ କାର୍ଯ୍ୟ ସମୟରେ ମଙ୍ଗଳବାର ରାତି ବଡ଼ ଦୁର୍ଘଟଣା ଘଟିଛି । ପ୍ରଧାନଖନ୍ତା ଷ୍ଟେସନ ସନ୍ମିକଟ ଛତାକୁଲି ଗାଁ ନିକଟରେ ରେଳବାଇ ଟ୍ରାକ୍ ଉପରେ ରାତି ୮ଟାରେ ଏକ ମାଲଗାଡ଼ି ଅତିକ୍ରମ କରିବା ସମୟରେ ଅଣ୍ଡପାସ ତଳେ ମାଟି ଚାପି ହୋଇଥିଲା । ମାଟିରେ ଚାପି ହୋଇ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଲୋକେ ଉତ୍ତେଜିତ ଦେଖାଯାଇଛନ୍ତି ।

ସୂଚନା ମିଳିବା ପରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ । କିନ୍ତୁ ଡିଆରଏମ ସମେତ ଅଧିକାରୀମାନଙ୍କୁ ଗ୍ରାମବାସୀ ଘଟଣାସ୍ଥଳକୁ ଯିବାକୁ ଦେଇ ନଥିଲେ । ପରିବାର ଓ ଗ୍ରାମବାସୀ କ୍ଷତିପୂରଣ ଦାବି କରିଥିଲେ । ପାଖାପାଖି ୩ ଘଣ୍ଟା ପରେ ସେମାନେ ଶାନ୍ତ ପଡ଼ିଥିଲେ । ଏହା ପରେ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ନୀରିକ୍ଷଣ କରିଥିଲେ ।

ଗ୍ରାମବାସୀଙ୍କ କହିବା ଅନୁସାରେ ମଙ୍ଗଳବାର ରାତିରେ ଏଠାରେ ଅଣ୍ଡରପାସର ନିର୍ମାଣ କାର୍ଯ୍ୟ ଚାଲିଥିଲା । ଏହି ସମୟରେ ମାଲଗାଡ଼ି ଉପରେ ଦେଇ ଯାଉଥିଲଶ, ଯେଉଁଥି ପାଇଁ ମାଟିକାମ କରୁଥିବା ଶ୍ରମିକଙ୍କମାନେ ଚାପି ହୋଇଯାଇଥିଲେ । ଶ୍ରମିକମାନେ ଭୂପୃଷ୍ଠରୁ ପାଖାପାଖି ୧୦ ମିଟର ତଳେ କାମ କରୁଥିଲେ । ଅଚାନକ ମାଟି ଖସିବା ଫଳରେ ୬ ଜଣ ଶ୍ରମିକ ଫସିଯାଇଥିଲେ । ୨ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । କିନ୍ତୁ ୪ ଜଣଙ୍କୁ ଘଟଣାସ୍ଥଳରୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇ ପାରି ନଥିଲା ।