ଦେଶ ଛାଡ଼ିଲେ ମାଳଦୀପ ପହଞ୍ଚିଲେ ଗୋଟାବାୟା ରାଜପକ୍ଷେ

କଲମ୍ବୋ,ଏଜେନ୍ସି: ଶ୍ରୀଲଙ୍କାର ରାଜନୈତିକ ଘଟଣାକ୍ରମ ସହିତ ଜଡ଼ିତ ବଡ଼ ଖବର ସାମ୍ନାକୁ ଆସିଛି । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଇସ୍ତଫାର ସରକାରୀ ଘୋଷଣା ପୂର୍ବରୁ ଦେଶରୁ ପଳାୟନ କରିଛନ୍ତି । ଗୋଟାବାୟା ରାଜପକ୍ଷେ ମଙ୍ଗଳବାର ରାତି ମାଳଦୀପ ପହଞ୍ଚିଛନ୍ତି । ଗୋଟାବାୟା ରାଜପକ୍ଷେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପୂର୍ବରୁ ପରିବାର ସମେତ ନିଜକୁ ସୁରକ୍ଷା ମାଗିଥିଲେ ।

ଗୋଟାବାୟା ରାଜପକ୍ଷେ ସର୍ତ୍ତ ରଖି କହିଥିଲେ ଯେ, ସେ ପରିବାର ସମେତ ଦେଶରୁ ବାହାରିଯିବାକୁ ଚାହୁଁଛନ୍ତି । ଏଭଳି ସ୍ଥିତିରେ ସୁରକ୍ଷିତ ପଠାଇବାକୁ ସୁନିଶ୍ଚିତ କରାଯାଉ । ଗୋଟାବାୟାଙ୍କ ତରଫରୁ ୩ ଦିନ ପୂର୍ବରୁ ଏହି ଘୋଷଣା କରାଯାଇଥିଲା ଯେ, ଜୁଲାଇ ୧୩ରେ ଇସ୍ତଫା ଦେବେ । ଗୋଟାବାୟା ଇସ୍ତଫା ଉପରେ ଦସ୍ତଖତ ଦିନକ ପୂର୍ବରୁ କରିଥିଲେ ।

ଡେଲି ମିରର ରିପୋର୍ଟ ଅନୁସାରେ ଗୋଟାବାୟା ରାଜପକ୍ଷେ ନିଜର ଇସ୍ତଫା ଉପରେ ଦସ୍ତଖତ କରିଦେଇଥିଲେ । ଏଥିରେ ତାରିଖ ଜୁଲାଇ ୧୩ ରଖାଯାଇଛି । ଏବେ ଗୋଟାବାୟା ରାଜପକ୍ଷେ ପଦରୁ ଇସ୍ତଫାକୁ ନେଇ ବୁଧବାରକୁ ବାଚସ୍ପତି ଅଭୟବର୍ଦ୍ଧନ ସର୍ବସାଧାରଣ ଭାବେ ଘୋଷଣା କରିବେ ।

ସୂଚନାଯୋଗ୍ୟ, ତିନି ଦିନ ପୂର୍ବରୁ ବାଚସ୍ପତିଙ୍କୁ ରାଷ୍ଟ୍ରପତି ଇସ୍ତଫା ନେଇ ସୂଚନା ଦେଇଥିଲେ । କିନ୍ତୁ ଗତ ୨ ଦିନ ହେବ ଆଲୋଚନା ସମୟରେ ଇସ୍ତଫାକୁ ନେଇ କିଛି କହି ନଥିଲେ । ବୁଧବାର ଗୋଟାବାୟା ରାଜପକ୍ଷେଙ୍କୁ ଇସ୍ତଫା ଦେବାର ଥିଲା । କିନ୍ତୁ ଏହା ପୂର୍ବରୁ ସେ ନିଜେ ଓ ପରିବାର ପାଇଁ ଦେଶ ବାହାରକୁ ଯିବା ପାଇଁ ସୁରକ୍ଷା ମାଗିଥିଲେ ।