ଅଣ୍ଡର-୧୯ ବିଶ୍ୱକପ୍‌: ଧୂଲ୍ ଟିମ୍ ଇଣ୍ଡିଆ ଅଧିନାୟକ

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ବର୍ଷ ଜାନୁଆରୀ ୧୪ରୁ ଫେବୃଆରୀ ୫ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ୍‌ରେ ଖେଳାଯିବାକୁ ଥିବା ଆଇସିସି ଅଣ୍ଡର-୧୯ ବିଶ୍ୱକପ୍ ପାଇଁ ରବିବାର ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଛି। ଟୁର୍ଣ୍ଣାମେଣ୍ଟ୍‌ର ୧୪ଶ ସଂସ୍କରଣ ପାଇଁ ୟଶ୍ ଧୁଲ୍‌ଙ୍କୁ ଦଳର ନେତୃତ୍ୱ ମିଳିଥିବା ବେଳେ ଏସ୍‌କେ ରଶିଦ୍‌ଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଛି। ଟୁର୍ଣ୍ଣାମେଣ୍ଟ୍ ଇତିହାସରେ ଭାରତ ସବୁଠାରୁ ସଫଳ ଦଳ ଭାବେ ୨୦୦୦, ୨୦୦୮, ୨୦୧୨ ଏବଂ ୨୦୧୮ରେ ଟାଇଟଲ୍ ଜିତିଥିବା ବେଳେ ୨୦୧୬ ଏବଂ ନ୍ୟୁଜିଲାଣ୍ଡ୍‌ରେ ଅନୁଷ୍ଠିତ ଗତ ସଂସ୍କରଣ (୨୦୨୦)ରେ ରନର୍ସଅପ୍ ଥିଲା।

ଆଗାମୀ ବିଶ୍ୱକପ୍‌ରେ ୧୬ଟି ଦଳ ଭାଗ ନେଉଛନ୍ତି ଓ ସେଗୁଡ଼ିକୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଗ୍ରୁପ୍‌ର ଶୀର୍ଷ ଦୁଇଟି ଦଳ ସୁପର୍ ଲିଗ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଅବଶିଷ୍ଟ ଦଳଗୁଡ଼ିକ ପ୍ଲେଟ୍ ଗ୍ରୁପ୍ ମ୍ୟାଚ୍ ଖେଳିବେ। ଭାରତ ଗ୍ରୁପ୍‌-ବି’ରେ ସ୍ଥାନ ପାଇଛି ଓ ଦଳ ଜାନୁଆରୀ ୧୫ରେ ଗାଏନାରେ ସାଉଥ୍ ଆଫ୍ରିକା ବିପକ୍ଷରୁ ନିଜର ଅଭିଯାନ ଆରମ୍ଭ କରିବ। ପରେ ଦଳ ୧୯ରେ ଆୟର୍ଲାଣ୍ଡ ଓ ୨୨ରେ ଉଗାଣ୍ଡାକୁ ଭେଟିବ।

ଘୋଷିତ ଦଳ: ୟଶ୍ ଧୁଲ୍ (ଅଧିନାୟକ), ହର୍‌ନୁର୍ ସିଂହ, ଅଙ୍ଗକ୍ରିଶ୍ ରଘୁବଂଶୀ, ଏସ୍‌କେ ରଶିଦ୍ (ଉପଅଧିନାୟକ), ନିଶାନ୍ତ ସିନ୍ଧୁ, ସିଦ୍ଧାର୍ଥ ଯାଦବ, ଅନୀଶ୍ୱର ଗୌତମ, ଦିନେଶ ବାନା, ଆରାଧ୍ୟ ଯାଦବ, ରାଜ୍ ଅଙ୍ଗଦ ବାୱା, ମାନବ ପାରଖ, କୌଶଳ ତାମ୍ବେ, ଆର୍‌ଏସ୍ ହଙ୍ଗର୍‌ଗେକର୍‌, ବାସୁ ବତ୍ସ, ଭିକ୍କି ଅଟ୍ସୱାଲ୍‌, ରବିକୁମାର, ଗର୍ବ ସାଙ୍ଗୱାନ୍‌; ଷ୍ଟାଣ୍ଡବାଇ ଖେଳାଳି: ରିଶିତ ରେଡ୍ଡୀ, ଉଦୟ ଶରଣ, ଅଂଶ ଗୋସାଇ, ଅମୃତ ରାଜ ଉପାଧ୍ୟାୟ, ପିଏମ୍ ସିଂହ ରାଠୋର।