ଆଡିଲେଡ୍,ଏଜେନ୍ସି: ଚଳିତ ଆଶେସ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଜିତି ଘରୋଇ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଥିବା ବେଳେ ଏବେ ଏହି ଅଗ୍ରଣୀକୁ ବଢ଼ାଇବାର ଦ୍ୱାରଦେଶରେ ପହଞ୍ଚିଯାଇଛି। କାରଣ ଭ୍ରମଣକାରୀ ଇଂଲଣ୍ଡ ଏଠାରେ ଚାଲିଥିବା ସିରିଜ୍ର ଦ୍ୱିତୀୟ ଟେଷ୍ଟ୍ରେ ଶୋଚନୀୟ ସ୍ଥିତିରେ ପହଞ୍ଚିଛି। ଅଷ୍ଟ୍ରେଲିଆ ଦେଇଥିବା ୪୬୮ ରନ୍ର ଟାର୍ଗେଟ୍କୁ ପିଛାକରି ଭ୍ରମଣକାରୀ ଦଳ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ମାତ୍ର ୮୨ ରନ୍ରେ ୪ଟି ୱିକେଟ୍ ହରାଇଛି।
ପ୍ୟାଭିଲିୟନ୍ ଫେରିସାରିଥିବା ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରେ ଇନ୍ଫର୍ମ ଡେୱିଡ୍ ମାଲାନ୍ ଓ ଅଧିନାୟକ ଜୋ ରୁଟ୍ ରହିଥିବାରୁ ଇଂଲଣ୍ଡ ସିରିଜ୍ରେ ୦-୨ରେ ପଛୁଆ ରହିବା ଏକରକମ ନିଶ୍ଚିତ ହୋଇଯାଇଛି। ରବିବାର ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଅଲ୍ରାଉଣ୍ଡର୍ ବେନ୍ ଷ୍ଟୋକ୍ସ ୪୦ଟି ବଲ୍ ଖେଳି ୩ ରନ୍ରେ ଅପରାଜିତ ଅଛନ୍ତି। ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲୀୟ ପେସର୍ ଝାଇ ରିଚାର୍ଡସନ୍ ୨ଟି ଏବଂ ମିଚେଲ୍ ଷ୍ଟାର୍କ ଓ ମାଇକେଲ୍ ନେସର୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।
ଚଳିତ ଦିବାରାତ୍ର ଟେଷ୍ଟ୍ର ପ୍ରଥମ ଇନିଂସରେ ୨୩୭ ରନ୍ରେ ଆଗୁଆ ରହିବା ପରେ ଅଷ୍ଟ୍ରେଲିଆ ୪୫/୧ରେ ତୃତୀୟ ଦିନର ଖେଳ ଶେଷ କରିଥିଲା। ଏହିଠାରୁ ରବିବାର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ମାର୍କସ୍ ହ୍ୟାରିସ୍ (୨୧) ଓ ନାଇଟ୍ ୱାଚ୍ମ୍ୟାନ୍ ନେସର୍ (୨) ଖେଳ ଆରମ୍ଭ କରି ଦଳୀୟ ସ୍କୋର୍କୁ ୪୮ରେ ପହଞ୍ଚାଇଥିଲେ। ପ୍ରଥମେ ନେସର୍ ମାତ୍ର ୩ ରନ୍ କରି ଓ ପରେ ହ୍ୟାରିସ୍ ୨୩ ରନ୍ କରି ଆଉଟ୍ ହୋଇଥିଲେ। ଅଧିକନ୍ତୁ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ମଧ୍ୟ ବେଶ୍ ଶସ୍ତାରେ (୬) ପ୍ୟାଭିଲିଅନ୍ ଫେରିଥିଲେ। ଏହି ସମୟରେ ଟ୍ରେଭିସ୍ ହେଡ୍ ଓ ମାର୍ନସ୍ ଲାବୁଶେନ୍ଙ୍କ ମଧ୍ୟରେ ୮୯ ରନ୍ର ଭାଗୀଦାରୀ ହୋଇଥିଲା। ଉଭୟ ବ୍ୟାଟ୍ସମ୍ୟାନ୍ ୫୧ ଲେଖାଏଁ ରନ୍ କରିଥିଲେ। ଏହାଛନା କାମରେନ୍ ଗ୍ରୀନ୍ ୩୩, ଷ୍ଟାର୍କ ୧୯ ରନ୍ କରିଥିଲେ। ୬୧ ଓଭର୍ରେ ଅଷ୍ଟ୍ରେଲିଆ ୨୩୦ ରନ୍ କରିଥିବା ସମୟରେ ମୋଟ ୪୬୭ ରନ୍ର ଅଗ୍ରଣୀ ସହ ଅଧିନାୟକ ସ୍ମିଥ୍ ଇନିଂସ ଘୋଷଣା କରିଥିଲେ।
ଇଂଲଣ୍ଡ ପକ୍ଷରୁ ଓଲି ରବିନ୍ସନ୍, ଅଧିନାୟକ ରୁଟ୍ ଓ ମାଲାନ୍ ୨ଟି ଲେଖାଏଁ ଏବଂ ଜେମ୍ସ ଆଣ୍ଡର୍ସନ୍ ଓ ଷ୍ଟୁଆର୍ଟ ବ୍ରଡ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଚତୁର୍ଥ ଦିନରେ ଇଂଲଣ୍ଡ ୪୩.୨ ଓଭର୍ ଖେଳି ୮୨ ରନ୍ କରିଥିବା ବେଳେ ଓପନର ରୋରି ବର୍ନସ ୫ଟି ଚୌକା ସହ ୩୪, ମାଲାନ୍ ୪ଟି ଚୌକା ସହ ୨୦ ଏବଂ ଅଧିନାୟକ ରୁଟ୍ ଗୋଟିଏ ଚୌକା ସହ ୨୪ ରନ୍ କରି ଆଉଟ୍ ହୋଇଛନ୍ତି। ଏହାଛଡ଼ା ଅନ୍ୟତମ ଓପନର ହସୀବ୍ ହମିଦ୍ ଖାତା ଖୋଲିବାରେ ବିଫଳ ରହିଛନ୍ତି। ଷ୍ଟୋକ୍ସ ଦିନର ଶେଷ ବଲ୍ରେ ଆଉଟ୍ ହେବା ପରେ ଏବେ ଇଂଲଣ୍ଡର ଭାଗ୍ୟ ଷ୍ଟୋକ୍ସଙ୍କ ଇନିଂସ ଉପରେ ନିର୍ଭର କରୁଛି।