୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ୍ ଟିମ୍ ସହାୟକ କୋଚ୍ ବରଖାସ୍ତ

ନୂଆଦିଲ୍ଲୀ,ଏଜେନ୍ସି: ୧୭ ବର୍ଷରୁ କମ୍ ଭାରତୀୟ ମହିଳା ଫୁଟ୍‌ବଲ୍ ଟିମ୍‌ର ସହାୟକ କୋଚ୍ ଆଲେକ୍ସ ଆମ୍ବୋଜ୍‌ଙ୍କୁ ବରଖାସ୍ତ କରାଯାଇଛି । କିଛିଦିନି ତଳେ ତାଙ୍କ ବିରୋଧରେ ଖେଳାଳିଙ୍କୁ ଅନୁଚିତ ବ୍ୟବହାର କରିବା ଅଭିଯୋଗ ଆସିଥିଲା । ଏହାପରେ ସର୍ବଭାରତୀୟ ଫୁଟ୍‌ବଲ୍ ମହାସଂଘ (ଏଆଇଏଫ୍‌ଏଫ୍‌) ଘଟଣାର ତଦନ୍ତ ପାଇଁ ଆଦେଶ ଦେଇଥିଲା । ଆମ୍ବ୍ରୋଜ୍‌ଙ୍କ ବରଖାସ୍ତ ସୂଚନା ସୁପ୍ରିମକୋର୍ଟ ଦ୍ୱାରା ଗଠିତ ପ୍ରଶାସନିକ କମିଟି (ସିଓଏ)ର ମୁଖ୍ୟ ସଦସ୍ୟ ଡ. ଏୱାଇ କ୍ୟୁରେଶୀ ସୋସିଆଲ୍ ମିଡିଆରେ ଦେଇଛନ୍ତି ।

ସୋସିଆଲ୍ ମିଡିଆରେ ସୂଚନା ଦେଇ ଡ. କ୍ୟୁରେଶୀ କହିଛନ୍ତି, ଯୌନ ଶୋଷଣ ଅଭିଯୋଗରେ ୧୭ ବର୍ଷରୁ କମ୍ ଭାରତୀୟ ମହିଳା ଫୁଟ୍‌ବଲ୍ ଟିମ୍‌ର ସହାୟକ କୋଚ୍ ଆଲେକ୍ସ ଆମ୍ବ୍ରୋଜ୍‌ଙ୍କୁ ବରଖାସ୍ତ କରାଯିବା ସହ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏହା ପୂର୍ବରୁ ଏଆଇଏଫ୍‌ଏଫ୍ ପକ୍ଷରୁ କୁହାଯାଇଥିଲା ଯେ ୟୁରୋପ ଗସ୍ତ ଅବସରରେ ମହିଳା ଟିମ୍ ସହ ଅନୁଚିତ ବ୍ୟବହାର କରାଯାଇଥିବା ସୂଚନା ମିଳିଥିଲା । ଆମେ ଅନୁଶାସନହୀନତାକୁ କୌଣସି ପ୍ରକାର ବରଦାସ୍ତ କରିପାରିବୁ ନାହିଁ, ଏ ନେଇ ମହାସଂଘ ଜିରୋ ଟଲେରାନ୍ସ ନୀତି ଅନୁସରଣ କରୁଛି ।

ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ମହାସଂଘ ପରବର୍ତ୍ତୀ ତଦନ୍ତ ହେବା ପର୍ଯ୍ୟନ୍ତ ସମ୍ବନ୍ଧିତ ବ୍ୟକ୍ତିଙ୍କୁ ଅସ୍ଥାୟୀ ଭାବେ ନିଲମ୍ବିତ କରିଛି । ସୂଚନାଯୋଗ୍ୟ ଚଳିତ ବର୍ଷ ଅକ୍ଟୋବର ୧୧ରୁ ୩୦ ତାରିଖ ପର୍ଯ୍ୟନ୍ତ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ ଭାରତରେ ଆୟୋଜିତ ହେବ । ଏହା ପୂର୍ବରୁ ୧୭ ବର୍ଷରୁ କମ୍ ଭାରତୀୟ ମହିଳା ଫୁଟ୍‌ବଲ୍ ଟିମ୍ ସ୍ୱିଡିସ୍ ମୁଖ୍ୟ କୋଚ୍ ଥୋମାସ୍ ଡେନବାୟଙ୍କ ତଦାରଖରେ ୟୁରୋପ ଗସ୍ତରେ ଅଛି । ଏହି ଅବସର ଟିମ୍ ଜୁଲାଇ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ନୋର୍ଡିକ୍ ଓପନ୍ ଟୁର୍ଣ୍ଣାମେଣ୍ଟ୍‌ରେ ପ୍ରଥମ ଥର ପାଇଁ ଭାଗ ନେଇଛି ।