ପାରୁଲ ଚୌଧୁରୀଙ୍କ ୩୦୦୦ ମିଟରରେ ଜାତୀୟ ରେକର୍ଡ

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ରେସର୍ ପାରୁଲ୍ ଚୌଧୁରୀ ଲସ୍‌ଆଞ୍ଜେଲ୍ସରେ ଚାଲିଥିବା ସାଉଣ୍ଡ୍ ରନିଂ ମିଟ୍‌ରେ ଜାତୀୟ ରେକର୍ଡ ସ୍ଥାପନ କରିବା ସହ ୩୦୦୦ ମିଟର୍ ରେସ୍‌କୁ ୯ ମିନିଟ୍ ମଧ୍ୟରେ ଅତିକ୍ରମ କରିବାରେ ଦେଶର ପ୍ରଥମ ଆଥ୍‌ଲେଟ୍ ହୋଇଛନ୍ତି । ଶନିବାର ରାତିରେ ଅନୁଷ୍ଠିତ ପ୍ରତିଯୋଗିତାରେ ୨୭ ବର୍ଷୀୟା ଆଥ୍‌ଲେଟ୍ ଏହି ରେସ୍‌କୁ ୮ ମିନିଟ୍ ୫୭.୧୯ ସେକେଣ୍ଡ୍‌ରେ ଶେଷକରିବା ସହ ତୃତୀୟ ସ୍ଥାନରେ ରହିଥିଲେ । ଷ୍ଟିପଲ୍‌ଚେଜ୍ ସ୍ପେଶାଲିଷ୍ଟ ପାରୁଲ୍ ୬ ବର୍ଷ ପୂର୍ବେ ଦିଲ୍ଲୀରେ ସୂର୍ଯ୍ୟା ଲୋଗାନାଥନ୍ ସ୍ଥାପନ କରିଥିବା ୯ ମିନିଟ୍ ୦୪.୫ ସେକେଣ୍ଡ୍‌ର ରେକର୍ଡ ଭଙ୍ଗ କରିଛନ୍ତି ।

ରେସ୍‌ରେ ପାରୁଲ୍ ପଞ୍ଚମ ସ୍ଥାନରେ ଥିବାବେଳେ ଅନ୍ତିମ ଦୁଇଟି ଲ୍ୟାପ୍‌ରେ ଜୋର୍‌ଦାର ପ୍ରଦର୍ଶନ କରି ପୋଡିୟମ୍ ସ୍ଥାନ ହାସଲ କରିବାରେ ସଫଳ ହୋଇଥିଲେ । ୩୦୦୦ ମି. ରେସ୍ ଅଣଅଲିମ୍ପିକ୍ ଇଭେଣ୍ଟ୍ ହୋଇଥିôାରୁ ସାଧାରଣତଃ ଭାରତୀୟ ଆଥ୍‌ଲେଟ୍ ଏଥିରେ ଅଂଶଗ୍ରହଣ କରିନଥାନ୍ତି । ଆମେରିକାର ଓରେଗନ୍‌ରେ ଚଳିତ ମାସ ଶେଷ ଆଡ଼କୁ ହେବାକୁ ଥିବା ବିଶ୍ୱ ଚାମ୍ପିଅନ୍‌ଶିପ୍ ପାଇଁ ମଧ୍ୟ ସେ ଭାରତୀୟ ଟିମ୍‌ର ସାମିଲ ହୋଇଛନ୍ତି । ଚାମ୍ପିଅନ୍‌ଶିପ୍‌ରେ ସେ ମହିଳା ୩୦୦୦ ମି. ଷ୍ଟିପଲ୍‌ଚେଜ୍ ଇଭେଣ୍ଟ୍‌ରେ ଭାଗନେବେ । ଗତମାସରେ ଚେନ୍ନାଇରେ ଆୟୋଜିତ ଜାତୀୟ ପ୍ରତିଯୋଗିତାରେ ପାରୁଲ୍ ମହିଳା ୩୦୦୦ ମି. ଷ୍ଟିପଲ୍‌ଚେଜ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।