ଏଲାର୍ଡୋ କପ୍‌: ଫାଇନାଲ୍‌ରେ ୪ ଭାରତୀୟ ମହିଳା ବକ୍ସର୍‌

ନୂଆଦିଲ୍ଲୀ,ଏଜେନ୍ସି: ବିଶ୍ୱ ଚାମ୍ପିଅନ୍‌ଶିପ୍ ବ୍ରୋଞ୍ଜ୍ ମେଡାଲିଷ୍ଟ୍ ଯମୁନା ବୋରୋଙ୍କ ସମେତ ଚାରିଜଣ ଭାରତୀୟ ମହିଳା ବକ୍ସର୍ କଜାଖ୍‌ସ୍ତାନର ସୁର୍ ସୁଲ୍‌ତାନରେ ଚାଲିଥିବା ଏଲାର୍ଡୋ କପ୍ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ରବିବାର ଅନୁଷ୍ଠିତ ମହିଳା ୫୪ କେଜି ସେମିଫାଇନାଲ୍‌ରେ ଯମୁନା କଜାଖ୍‌ସ୍ତାନର ଆନେଲ୍ ସାକିସ୍‌ଙ୍କ ବିରୋଧରେ ପ୍ରଭାବଶାଳୀ ପ୍ରଦର୍ଶନ କରି ସର୍ବସମ୍ମତ ନିଷ୍ପତ୍ତି ବିଜୟୀ ହୋଇଛନ୍ତି । ଯମୁନାଙ୍କ ବ୍ୟତୀତ କାଲାଇଭାନି ଶ୍ରୀନିବାସନ୍ (୪୮ କେଜି), ଗୀତିକା (୪୮ କେଜି) ଏବଂ ଆଫିୟା (+୮୧ କେଜି) ମଧ୍ୟ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ।

ଏହି ସମସ୍ତ ବର୍ଗର ଫାଇନାଲ୍ ସୋମବାର ଖେଳାଯିବ । ତେବେ ଅନ୍ୟ ଦୁଇ ମହିଳା ବକ୍ସର୍ ସାକ୍ଷୀ (୫୪ କେଜି) ଏବଂ ସୋନିଆ ଲାଥର (୫୭ କେଜି) ସେମିଫାଇନାଲ୍‌ରେ ଯଥାକ୍ରମେ ଉଜ୍‌ବେକିସ୍ତାନର ନିଗିନା ଉକ୍ତାମୋଭା ଏବଂ ସିତୋରା ତୁର୍ଦିବେକୋଭାଙ୍କ ଠାରୁ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟ୍‌ରୁ ବାଦ୍ ପଡ଼ିଛନ୍ତି । ଶନିବାର ରାତିରେ ଅନୁଷ୍ଠିତ ସେମିଫାଇନାଲ୍‌ରେ କଲାଇଭାନି ଉଜ୍‌ବେକିସ୍ତାନର ଫର୍ଜୋନା ଫୋଜିଲୋଭାଙ୍କ ବିରୋଧରେ ସର୍ବସମ୍ମତ୍ତି ନିଷ୍ପତ୍ତିରେ ବିଜୟୀ ହୋଇଥିଲେ ।

ସେହିପରି ଗୀତିକା ଉଜ୍‌ବେକିସ୍ତାନର ମାର୍ଜୋନା ସାବ୍ରିଏଭାଙ୍କୁ ୪-୧ରେ ହରାଇଥିବା ବେଳେ କଜାଖ୍‌ସ୍ତାନର ଭାଲେରିଆ ଆକ୍ସେନୋଭାଙ୍କ ବିପକ୍ଷରେ ଆଫିୟା ପ୍ରଭାବଶାଳୀ ପ୍ରଦର୍ଶନ କରି ବିଜୟୀ ହୋଇଥିଲେ । ଅନ୍ୟପକ୍ଷରେ କୁଲଦୀପ (୪୮ କେଜି), ଜୁଗନୁ (୯୨ କେଜି) ସେମିଫାଇନାଲ୍‌ରେ ପରାଜିତ ହେବା ପରେ ପୁରୁଷ ବର୍ଗରେ ଭାରତର ଅଭିଯାନ ଶେଷ ହୋଇଛି ।