ଦେବଗଡ଼ରେ ଅଣ୍ଡର ୧୭ ଇଣ୍ଟରସ୍କୁଲ ଫୁଟବଲ ପ୍ରତିଯୋଗିତା ଉଦଘାଟିତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ୧୭ ବର୍ଷରୁ କମ ବର୍ଗର ବାଳକ ଓ ବାଳିକାଙ୍କୁ ନେଇ ଜିଲ୍ଲାସ୍ତରୀୟ ଇଣ୍ଟରସ୍କୁଲ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଆନୁଷ୍ଠାନିକ ଭାବେ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ସଚ୍ଚିଦାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିଭାବେ ବନଖଣ୍ଡ ଅଧିକାରୀ ମଗର ଧନାଜି ରାଓସ, ଜିଲ୍ଲା କ୍ରୀଡ଼ା ଅଧିକାରୀ କୈବଲ୍ୟ କିଶୋର କର ଓ ଅତିରିକ୍ତ ଶିକ୍ଷାଧିକାରୀ ବିନୋଦ ସିଂ ପ୍ରମୁଖ ମଞ୍ଚାସିନ ରହି କ୍ରୀଡ଼ା ପତାକାକୁ ଆହୋରଣ କରାଇଥିଲେ । ଏହାସହ ଜିଲ୍ଲାର ୩ଟି ଯାକ ବ୍ଲକରୁ ଆସିଥିବା ବିଭିନ୍ନ ବିଦ୍ୟାଳୟର ବାଳକ ବର୍ଗର ନକଆଉଟ ଫୁଟବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଯୁବ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଆଜି ବାଳକ ବର୍ଗର ୬ଟି ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବାବେଳେ ଆସନ୍ତା ୧୪ ତାରିଖରେ ବାଳିକା ବର୍ଗର ପ୍ରତିଯୋଗିତା ଅନୁଷ୍ଠିତ ହେବ । ଆଉ ୧୭ ତାରିଖରେ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାର ସୁପରିଚାଳନା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ୭୦ଜଣ କ୍ରୀଡ଼ା ଶିକ୍ଷକଙ୍କୁ ନିୟୋଜିତ କରାଯାଇଥିବା ଜଣାପଡ଼ିଛି ।