ଇବ୍ ନଦୀରେ ଭାସିଗଲେ ଦାଦା-ପୁତୁରା

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାସ୍ଥିତ ଇବ୍ ନଦୀରେ ରବିବାର ଦୁଇଜଣ ବ୍ୟକ୍ତି ଭାସି ଯାଇଛନ୍ତି। ସେମାନେ ବ୍ରଜରାଜନଗର ଲମଟିବାହାଲ ଅଞ୍ଚଳର ସନ୍ଦୀପ ମାହାତୋ(୪୦) ଓ କେତନ ମାହେତା(୧୩) ଓ ସେମାନେ ସମ୍ପର୍କରେ ଦାଦା-ପୁତୁରା ବୋଲି ଜଣାପଡ଼ିଛି। ଖବରପାଇ ବ୍ରଜରାଜନଗର ପୁଲିସ, ଅଶ୍ନିଶମ ବିଭାଗ କର୍ମଚାରୀ ଓ ଓଡ୍ରାଫ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଉଭୟ ଦାଦା-ପୁତୁରାଙ୍କ ପତ୍ତା ମିଳିପାରିନାହିଁ।

ସୂଚନା ଅନୁଯାୟୀ ରବିବାର ଅପରାହ୍ଣରେ ଲମଟିବାହାଲର ସନ୍ଦୀପ ତାଙ୍କ ପୁତୁରା କେତନକୁ ନେଇ ଇବ ନଦୀରେ ଗାଧେଇବା ପାଇଁ ଚଣ୍ଡି ମନ୍ଦୀର ନିକଟସ୍ଥ ଘାଟକୁ ଆସିଥିଲେ। ଗାଧେଇବା ପୂର୍ବରୁ ଇବ ନଦୀତୁଠରେ ସେ ନିଜ ପୁତୁରାସହ ଫୁଟବଲ ଖେଳୁଥିଲେ। କିଛି ସମୟ ଖେଳିବା ପରେ ହଠାତ ଫୁଟବଲଟି ନଦୀ ପାଣିରେ ପଡି ଭାସିବାରେ ଲାଗିଥିଲା।

ଏହାଦେଖି କେତନ ଫୁଟବଲକୁ ଧରିବା ପାଇଁ ପାଣି ଭିତରକୁ ଡେଇଁ ପଡିଥିଲେ। ସେ ପହଁରା ଜଣି ନଥିବାରୁ ନଦୀ ପାଣିରେ ବୁଡିବା ସହ ଭାସିବାକୁ ଲାଗିଥିଲେ। ଏହାଦେଖି କେତନକୁ ବଞ୍ଚାଇବା ପାଇଁ ତାଙ୍କ ଦାଦା ନଦୀ ଭିତରକୁ ଡେଇଁପଡ଼ିଥିଲେ। ତେବେ ନଦୀଟିର ସ୍ରୋତ ପ୍ରଖର ଥିବାରୁ ସେମାନେ କୁଆଡେ ଭାସିଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ତେବେ ୨ଜଣ ପାଣିରେ ବୁଡୁଥିବାର ଦେଖି ସେଠାରେ ଉପସ୍ଥିତ ଏକ ଯୁବକ ବ୍ରଜରାଜନଗର ପୁଲିସକୁ ସୂଚନା ଦେଇଥିଲେ। ତୁରନ୍ତ ବ୍ରଜରାଜନଗର ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନଦୀ ଗର୍ଭରେ ଖୋଜାଖୋଜି ଆରମ୍ଭ କରିଛି।