ଆନ୍ତର୍ଜାତିୟ ମହିଳା ଦିବସରେ ଅସହାୟଙ୍କୁ କାନ୍ଧ ଦେଲା ମହିଳା ଗୋଷ୍ଠୀ, ମୁଖାଗ୍ନି ଦେଲେ ମୃତକଙ୍କ ଝିଅ…

ବରଗଡ଼,ଏନ୍ଏନ୍ଏସ୍: ମାର୍ଚ୍ଚ ୮ ତାରିଖରେ ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଥିବା ବେଳେ ବରଗଡ଼ ସହରରେ ଜଣେ ଅସହାୟ ବ୍ୟକ୍ତିଙ୍କୁ ମହିଳାମାନେ ନିଜ କାନ୍ଧରେ ବୋହି ଶ୍ମସାନକୁ ନେଇଥିଲେ। ସେହପରି ଉକ୍ତ ବ୍ୟକ୍ତିଙ୍କ ନାବାଳିକା ଝିଅ ମୁଖାଗ୍ନି ଦେଇଥିଲେ। ତେବେ ଏହି ଘଟଣାଟି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

ଆଜିର ଦିନକୁ ସମଗ୍ର ବିଶ୍ୱରେ ମହିଲା ଦିବସ ଭାବରେ ପାଳନ କରୁଥିବା ବେଳେ ବରଗଡ଼ ସହରରେ ଜଣେ ଅସହାୟ ବ୍ୟକ୍ତିଙ୍କୁ ମହିଳା ମାନେ କାନ୍ଧ ଦେଇ ଭିନ୍ନ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଘଟଣାରୁ ପ୍ରକାଶ ଯେ ବରଗଡ଼ ସହରର ୱାର୍ଡ ନମ୍ବର ୧୮ ଅମ୍ବାପାଲିର ଦିନ ମଜୁରିଆ ଲକ୍ଷ୍ମଣ କୁଅଁର(ମାଖନୁ) ଗତ ୨ ତାରିଖରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତ ଶନିବାର ବୁର୍ଲାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ରବିବାର ଲକ୍ଷ୍ମଣଙ୍କ ମୃତ ଦେହ ବରଗଡ଼ ପହଞ୍ଚିଥିଲା। ତେବେ ଲକ୍ଷ୍ମଣ ଘରର ମୁଖ୍ୟ ତଥା ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାବେଳେ ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛି। ମୃତ ଲକ୍ଷ୍ମଣଙ୍କ ପରିବାର କହିଲେ ସ୍ତ୍ରୀ ଗଙ୍ଗା କୁଅଁର ଏବଂ ୪ଝିଅ ମନିଷା(୧୫), ନିଶା(୧୦), ରାଶୀ(୬) ଓ ପ୍ର୍ରିୟା(୪)।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସାନ ଝିଅ ପ୍ର୍ରିୟା ଥାଲୋସେମିଆ ରୋଗରେ ଆକ୍ରାନ୍ତ ଥିବାରୁ ନିୟମିତ ଭାବରେ ପ୍ରତିମାସ ତାକୁ ରକ୍ତର ଆବଶ୍ୟକତା ରହିଛି। ଏପରି ସ୍ଥିତିରେ ଦୁର୍ଘଟଣାରେ ବାପା ଲକ୍ଷ୍ମଣଙ୍କ ମୃତ୍ୟୁ ପରେ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିବା ସହ ବାପାଙ୍କ ଶେଷାକୃତ୍ୟ କିପରି କରାଯିବ ସେ ନେଇ ଚିନ୍ତିତ ହୋଇପଡିଛନ୍ତି। ଏହି ଖବରଟି ଜାଣିବା ପରେ ବରଗଡ଼ ଡାକ୍ତରଖାନା ବଞ୍ଚାଓ ଅଭିଯାନର ସଦସ୍ୟାମାନେ ମୃତକଙ୍କ ଘରକୁ ପହଞ୍ଚିଥିଲେ। ଏହିପରି ଦୁଖଃଦ ସମୟରେ ସମସ୍ତ ନୀତି, ନିୟମ ଓ ସଂସ୍କାରର ଊଦ୍ଧ୍ୱର୍କୁ ଯାଇ ଡାକ୍ତରଖାନା ବଞ୍ଚାଓ ଅଭିଯାନର ସଦସ୍ୟାମାନେ ଶବ କାନେ୍ଧଇବାକୁ ଆଗେଇ ଆସିଥିଲେ। ଲକ୍ଷ୍ମଣଙ୍କ ମୃତ ଦେହକୁ ଖଟିଆରେ ବୋହି ଏକ ଶେଷଯାତ୍ରାରେ ବରଗଡ଼ ସ୍ୱର୍ଗଦ୍ୱାରକୁ ନେଇ ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ। ଡାକ୍ତରଖାନା ବଞ୍ଚଓ ଅଭିଯାନର ସୀମା ସିଂ, ସବିତା ମଲ୍ଲିକ, ଦେବିକା ସିକ୍କା, ଶାନ୍ତି ମେହେର, ମେରିୟମ ବାଲ୍ଲା, ରାଧାରାଣୀ ସରକାର, ମଞ୍ଜୁ ମଲ୍ଲିକ ପ୍ରମୁଖ ଶବ କାନେ୍ଧଇ ଥିଲେ। ସେହିପରି ଲକ୍ଷ୍ମଣଙ୍କ ବଡ଼ ଝିଅ ମନିଷା ବାପାଙ୍କୁ ମୁଖାଗ୍ନି ଦେଇଥିଲେ।

ଆନ୍ତର୍ଜାତୀୟ ମହିଳା ଦିବସ ପରି ଗୁରୁତ୍ୱପୂର୍ଣ୍ଣ ଦିନରେ ହିନ୍ଦୁ, ମୁସଲିମ, ଇସାଇ ପରି ଜାତି ଧର୍ମ ନିର୍ବିଶେଷରେ ଜଣେ ଅସହାୟଙ୍କ ଅନ୍ତିମ ସତ୍କାର କରି ଏହି ସ୍ୱେଚ୍ଛାସେବୀ ମହିଳାମାନେ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି।