ପରକୀୟା ସମ୍ପର୍କରୁ ଅଭାବନୀୟ କାଣ୍ଡ, ଚଳନ୍ତା ଟ୍ରେନ୍‌ରେ ଛୁରାମାଡ଼, ଜଣେ ମୃତ

ବ୍ରହ୍ମପୁର/ରମ୍ଭା,ଏନ୍‌ଏନ୍‌ଏସ୍‌: ସ୍ୱାମୀ ଥାଉ ଥାଉ ସ୍ତ୍ରୀ ରଖିଥିଲେ ପରକୀୟା ପ୍ରେମ ସମ୍ପର୍କ । ସ୍ତ୍ରୀଙ୍କ ଏପରି ରୂପ ଦେଖି ଚିହିଁକି ଉଠିଲେ ସ୍ୱାମୀ । ଆଉ ତାଙ୍କ ରାଗ ପଞ୍ଚମକୁ ଉଠି ଯାଇଥିଲା । ଚଳନ୍ତା ଟ୍ରେନ୍ ଭିତରେ ସ୍ତ୍ରୀଙ୍କ ପ୍ରେମିକଙ୍କୁ ଛୁରୀରେ ଭୁସିଦେଲେ ସ୍ୱାମୀ । ଏପରି ଘଟଣା ଚେନ୍ନାଇ-ହାୱାଡା ଏକ୍ସପ୍ରେସ୍‌ରେ ଘଟିଛି । ଗଞ୍ଜାମ ପୁଲିସ ଅଭିଯୁକ୍ତ ତଥା ପଶ୍ଚିମବଙ୍ଗର ରାଜୀବ ଗୁରାଇକୁ ଅଟକ ଘଟଣାର ତଦନ୍ତ କରୁଛି ।

ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ବାହାଦରପୁର ଗ୍ରାମର ଶୁଭଦ ଗୁରାଇଙ୍କ ପୁଅ ରାଜୀବ ଗୁରାଇ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସ୍ତ୍ରୀ ବନ୍ଦନା ଏବଂ ଶ୍ୱଶୁର ପଲଙ୍ଗ ଗୁରାଇଙ୍କ ସହ ୭ ଦିନ ପୂର୍ବେ ଚେନ୍ନାଇ ଯାଇଥିଲେ । ସେମାନଙ୍କ ସହ ସେହି ଅଞ୍ଚଳ ନିକଟସ୍ଥ ସତରପୁର ଗ୍ରାମର ପ୍ରସନ୍ନଜିତ ଗୁରାଇ ବି ଚେନ୍ନାଇ ଯାଇଥିଲେ । ଚେନ୍ନାଇରେ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଏକ ଲଜ୍‌ରେ ରହଣୀ ସମୟରେ ସ୍ତ୍ରୀଙ୍କ ସହ ପ୍ରସନ୍ନଜିତଙ୍କ ମଧ୍ୟରେ ସମ୍ପର୍କକୁ ନେଇ ରାଜୀବଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା । ଏପରିକି ରାଜୀବଙ୍କ କହିବା ଅନୁଯାୟୀ ସେ ମେଡିକାଲକୁ ଚିକିତ୍ସା ପାଇଁ ଯାଇ ଫେରିବା ସମୟରେ ପ୍ରସନ୍ନଜିତ ତାଙ୍କ ସ୍ତ୍ରୀକୁ ଚେନ୍ନାଇର ବିଭିନ୍ନ ସ୍ଥାନକୁ ବୁଲାଇ ନେବା ସହ ଲଜ ଭିତରେ ଦୁହେଁ ଅସଂଯତ ଅବସ୍ଥାରେ ଥିବା ଦେଖିଥିଲେ । ଏହାର ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ଚେନ୍ନାଇରେ ପାଟିତୁଣ୍ଡ ହୋଇଥିଲା ।

ଗତକାଲି ସେମାନେ ଚେନ୍ନାଇ-ହାୱଡ଼ା ଏକ୍ସପ୍ରେସ ଯୋଗେ ପଶ୍ଚିମବଙ୍ଗକୁ ଫେରୁଥିଲେ । ସ୍ତ୍ରୀର ପରକୀୟା ପ୍ରୀତିରେ ଅତିଷ୍ଠ ହୋଇ ପ୍ରତିଶୋଧ ନେବାକୁ ମାନସିକ ସ୍ତରରେ ପ୍ରସ୍ତୁତି ହୋଇ ରହିଥିଲେ ରାଜୀବ । ପ୍ରସନ୍ନଜିତକୁ ସବୁଦିନ ପାଇଁ ହଟାଇବାକୁ ସୁଯୋଗ ଅପେକ୍ଷାରେ ଥିଲେ ରାଜୀବ । ଆଜି ଗଞ୍ଜାମ ରେଳ ଷ୍ଟେସନ ନିକଟ ପାଖାପାଖି ଚଳନ୍ତା ଟ୍ରେନରେ ରାଜୀବ ଏକ ଛୁରା ବାହାର କରି ପ୍ରସନ୍ନଜିତଙ୍କ ପେଟକୁ ବାରମ୍ବାର ଭୁସିଥିଲେ । ଏହା ଦେଖି ଟ୍ରେନ ଭିତରେ ଯାତ୍ରୀମାନେ ଆତଙ୍କିତ ହୋଇଥିଲେ । ପାଟିତୁଣ୍ଡ କରିବାରୁ ଟ୍ରେନ୍ ସୁରକ୍ଷା ଦାୟିତ୍ୱରେ ଥିବା ରେଳବାଇ ପୁଲିସ ଟ୍ରେନ୍ ଡ୍ରାଇଭରକୁ ଖବର ଦେଇଥିଲେ । ପରେ ଗଞ୍ଜାମ ଷ୍ଟେସନରେ ସୁରକ୍ଷା ଦାୟିତ୍ୱରେ ଥିବା ହାବିଲଦାର ପି.କେ. ନାୟକ ଓ ଷ୍ଟେସନ ମାଷ୍ଟର ତୁରନ୍ତ ଗଞ୍ଜମ ଥାନାକୁ ଖବର ଦେଇଥିଲେ ।

ଗଞ୍ଜାମ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସଦଳବଦଳରେ ଆସି ଆମ୍ବୁଲାନ୍ସ ଯୋଗେ ଗୁରୁତର ପ୍ରସନ୍ନଜିତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଛତ୍ରପୁର ମେଡିକାଲ ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ହତ୍ୟାକାଣ୍ଡ ଭିଆଇଥିବା ରାଜୀବଙ୍କୁ ଗଞ୍ଜାମ ଷ୍ଟେସନରେ ଅଟକ ରଖାଯାଇଛି । ଟ୍ରେନ୍ ଭିତରେ ଏହି ହତ୍ୟାକାଣ୍ଡ ଘଟିଥିବାରୁ ରେଳବାଇ ପୁଲିସ ଏହାର ତଦନ୍ତ ଦାୟିତ୍ୱ ନେଇଛି ।