ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍ତ୍ରୀ’ ଫ୍ୟାନରେ ଚୁନେରି ବାନ୍ଧି ଆତ୍ମହତ୍ୟା କରିଥିବାବେଳେ ସ୍ୱାମୀ ଏସିଡ୍ ପିଇ ଜୀବନ ହାରିବାକୁ ଚେଷ୍ଟା କରିଛନ୍ତି । ଏଭଳି ଘଟଣା ରାଜଧାନୀର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ହଳଦୀପଡ଼ିଆ ଅଞ୍ଚଳରେ ଦେଖିବାକୁ ମିଳିଛି । ତେବେ ସ୍ତ୍ରୀ’ ସଞ୍ଜନା ପେରିୱାଲଙ୍କ ମୃତ୍ୟୁ ଘଟିଥିବାବେଳେ ସ୍ୱାମୀ ସଞ୍ଜୟ ପେରିୱାଲ ଗୁରୁତର ଆହତ ହୋଇଛନ୍ତି । ଖବରପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଗୁରୁତର ଥିବା ସ୍ୱାମୀକୁ ହସ୍ପିଟାଲରେ ଭର୍ତ୍ତି କରିଛି । ସଞ୍ଜୟଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି । ତେବେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିବାବେଳେ ପାରିବାରିକ କଳହ ଏହା ପଛର କାରଣ ବୋଲି ସନ୍ଦେହ କରାଯାଉଛି । ଅଧିକ ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଲକ୍ଷ୍ମୀସାଗର ଥାନାଧିକାରୀ ଓମ୍ ପ୍ରକାଶ ମହାନ୍ତି କହିଛନ୍ତି । ଏନେଇ ଲକ୍ଷ୍ମୀସାଗର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା (ନଂ ୨୬/୨୨) ରୁଜୁ କରି ତଦନ୍ତ ଚଳାଇଛି ।
ସୂଚନାନୁଯାୟୀ, ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ହଳଦୀପଡ଼ିଆ ନିକଟ ସିଦ୍ଧିବିନାୟକ ଆପର୍ଟମେଣ୍ଟରେ ସଞ୍ଜୟ ତାଙ୍କ ସ୍ତ୍ରୀ’ ସଞ୍ଜନା ଓ ଦୁଇପିଲାଙ୍କୁ ନେଇ ରୁହନ୍ତି । ତାଙ୍କର ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ଲୁଗାଦୋକାନ ରହିଛି । ପ୍ରତ୍ୟେକଦିନ ସକାଳୁ ସଞ୍ଜୟ ଦୋକାନ ଯାଉଥିବାବେଳେ ପୁଅ-ଝିଅଙ୍କୁ ସ୍କୁଲ ପଠାଇବା ପରେ ସଞ୍ଜନା ଦୋକାନକୁ ଯାଇଥାନ୍ତି । ହେଲେ ଶୁକ୍ରବାର ସଞ୍ଜନା ଦୋକାନକୁ ଯିବାରେ ବିଳମ୍ବ କରିଥିଲେ । ଏଥିପାଇଁ ସଞ୍ଜୟ ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ । ହେଲେ ଫୋନ୍ କେହି ଉଠାଇନଥିଲେ । ତେଣୁ ସେ ତାଙ୍କ ପୁତୁରାଙ୍କୁ ଘରକୁ ଯାଇ ସଞ୍ଜନାଙ୍କୁ ଡାକିଦେବାକୁ କହିଥିଲେ ।
ପୁତୁରା ୧୧ଟା ୫୦ମିନିଟ୍ ସମୟରେ ଘରକୁ ଯାଇ କବାଟ ବାଡ଼େଇ ଡାକିଥିଲେ । କିନ୍ତୁ ଭିତର ପଟୁ କୌଣସି ଶବ୍ଦ ଆସିନଥିଲା । ତେଣୁ ସେ କବାଟ ଖୋଲିବା ପରେ ସଞ୍ଜନା ଫ୍ୟାନରେ ଝୁଲିଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ଘଟଣା ବିଷୟରେ ସଞ୍ଜୟଙ୍କୁ ଜଣାଇଥିଲେ । ସଞ୍ଜୟ ଘରକୁ ଆସି ସ୍ତ୍ରୀକୁ ଝୁଲନ୍ତା ଅବସ୍ଥାଦେଖି ନିଜକୁ ସମ୍ଭାଳି ପାରିନଥିଲେ । ସେ ବାଥରୁମ୍ରେ ପଶିଯାଇ ସେଠାରେ ଥିବା ଟଏଲେଟ୍ କ୍ଲିନର(ଏସିଡ୍)କୁ ପିଇଦେଇଥିଲେ । ଏହାଦେଖି ପୁତୁରା ଓ ପଡ଼ୋଶୀ ପୁଲିସକୁ ୧୨ଟା ୩୦ମିନିଟ୍ରେ ଖବର ଦେଇଥିଲେ । ଘଟଣାସ୍ଥଳେ ପୁଲିସ ପହଞ୍ଚି ସଞ୍ଜୟଙ୍କୁ ହସ୍ପିଟାଲ ପଠାଇବା ସହ ସଞ୍ଜନାଙ୍କ ମୃତଦେହ ଉଦ୍ଧାର କରିଥିଲା । ଉଲ୍ଲେଖଯୋଗ୍ୟ, ଶୁକ୍ରବାର ପିଲା ସ୍କ୍ୁଲରୁ ଫେରିବା ପରେ ସଞ୍ଜୟ ତାଙ୍କ ସ୍ତ୍ରୀ ଓ ପିଲାଙ୍କୁ ନେଇ ପୁରୀ ବୁଲିବାକୁ ଯାଇଥାନ୍ତେ । ହେଲେ ଏହାପୂର୍ବରୁ ତାଙ୍କ ସଂସାର ଉଜୁଡ଼ିଗଲା ।