ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ଅଗଷ୍ଟ ୧୪ରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ଖୋ ଖୋ’ରେ ଫ୍ରାଞ୍ଚାଇଜି ଭିତ୍ତିକ ଲିଗ୍ ଖେଳାଯିବ । ଏହି ଅଲ୍ଟିମେଟ୍ ଖୋ ଖୋ ଲିଗ୍ରେ ଓଡ଼ିଶାର ଦୁଇ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ଏହି ଦୁଇ ଖେଳାଳି କିଟ୍-କିସ୍ର ଛାତ୍ର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅର୍ଜୁନ ସିଂହ ଓଡ଼ିଶା ଜଗରନଟ୍ ଟିମ୍ରେ ସାମିଲ୍ ହୋଇଛନ୍ତି । ତାଙ୍କୁ ଅକ୍ସନ୍ରେ କାଟାଗୋରି-ସି’ରେ ରାଉଣ୍ଡ୍-୭ରେ ଏକ ଲକ୍ଷ ୧୫ ହଜାର ଟଙ୍କାରେ ଖରିଦ୍ କରାଯାଇଛି ।
ସେହିପରି ଅଜୟ କୁମାର ମାଣ୍ଡରା ଗୁଜରାଟ ଟାଇଟାନ୍ସ ଟିମ୍ରେ ସ୍ଥାନ ପାଇଛନ୍ତି । ସେ କାଟାଗେରି-ସି’ରେ ରାଉଣ୍ଡ୍-୧୨ରେ ଦେଢ଼ ଲକ୍ଷ ଟଙ୍କା ମୂଲ୍ୟରେ ଉକ୍ତ ଟିମ୍ରେ ସାମିଲ୍ ହୋଇଛନ୍ତି । ଏହି ଦୁଇ ଖେଳାଳିଙ୍କୁ କିଟ୍-କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ବଧେଇ ଜଣାଇବା ସହ ଉକ୍ତ ଲିଗ୍ରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରିଛନ୍ତି ।
ସୂଚନାଯୋଗ୍ୟ ଯେ ଡାବର୍ ଇଣ୍ଡିଆର ଅଧ୍ୟକ୍ଷ ଅମିତ ବର୍ମନଙ୍କ ଉଦ୍ୟମରେ ପ୍ରଥମ ଥର ପାଇଁ ଦେଶରେ ଖୋ ଖୋ ଲିଗ୍ ଖେଳାଯିବାକୁ ଥିବା ବେଳେ ଏଥିରେ ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୨୪୦ ଜଣ ଖେଳାଳି ସାମିଲ୍ ହୋଇଛନ୍ତି । ସେମାନଙ୍କୁ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ପ୍ରଦର୍ଶନ ଭିତ୍ତିରେ ୪ଟି ଗ୍ରୁପ୍ରେ ବିଭକ୍ତ କରାଯାଇଥିଲା ।