ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ସହରରେ ଥିବା ତରଙ୍ଗିଣୀ ଛାତ୍ରୀନିବାସରେ ରହି ଯୁକ୍ତ ତିନିରେ ପାଠ ପଢ଼ୁଥିବା ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରଲ ଅଭିଯୋଗରେ ବୌଦ୍ଧ ଜିଲ୍ଲା ପୁରୁଣାକଟକରୁ ଜଣେ ଯୁବକକୁ ଗିରଫ କରିଛି ଦେବଗଡ଼ ଥାନା ପୁଲିସ l ଅଶ୍ଳୀଳ ଫଟୋ ବଦଳରେ ଯୁବତୀଙ୍କ ପରିବାର ଲୋକଙ୍କୁ ବ୍ଲାକମେଲିଂ କରୁଥିଲା ଯୁବକ। ଗିରଫ ଯୁବକ ଜଣଙ୍କ ରିଆମାଳ ଥାନା ଅନ୍ତର୍ଗତ ଖଜୁରୀଦର୍ହ ଗ୍ରାମର ଜିତେନ୍ ସାହୁ। ପୀଡିତା ଅନ୍ୟ ଜଣେ ବାନ୍ଧବୀଙ୍କ ସହ ପୁରୀ ବୁଲିବାକୁ ଯାଇଥିବା ବେଳେ ପୂର୍ବ ଯୋଜନା ଅନୁଯାୟୀ ପୁରୀର ଏକ ହୋଟେଲରେ ରହିବା ସମୟରେ କୋଲଡ୍ରିଂକ୍ସରେ ନିଶା ମିଶାଇ ଅଭିଯୁକ୍ତ ଜିତେନ୍ ସହ ପୀଡିତାଙ୍କ ବାନ୍ଧବୀ ଦେବଗଡ଼ ଥାନା ଅନ୍ତର୍ଗତ ଚଟିବରଘାଟ ଅଞ୍ଚଳର ଜଲୀ ସାହୁ ଓ ତାଙ୍କ ପୁରୁଷ ବନ୍ଧୁ ଅନିଲ ସାହୁ ଆପତ୍ତି ଜନକ ଭିଡିଓ ଉତ୍ତୋଳନ କରିଥିଲେ।
ପୀଡିତାଙ୍କ ଅଭିଯୋଗ ଆଧାରରେ ପୁଲିସ ଦଫା ୧୨୦-ବି, ୩୪୨, ୩୨୮ ଓ ୩୫୪-ଡିରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ୨୪ ଘଣ୍ଟା ମଧ୍ୟରେ ବୌଦ୍ଧ ଜିଲ୍ଲା ପୁରୁଣାକଟକରେ ଏକ ଘରୋଇ ଠିକା ସଂସ୍ଥାରେ ଜେସିବି ଡ୍ରାଇଭର ଭାବେ କାମ କରୁଥିବା ମୁଖ୍ୟ ଅଭିଯୁକ୍ତ ଜିତେନକୁ ଗିରଫ କରିଛି ଦେବଗଡ଼ ଥାନା ପୁଲିସ। ତେବେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।