ଜାପୋରିଜିୟାରେ ଋଷର ରକେଟ ମାଡ, ୧୭ରୁ ଊର୍ଦ୍ଧ୍ବ ମୃତ

କିଭ,ଏଜେନ୍ସି: ଜାରି ରହିଥିବା ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନ ଉପରେ ପୁଣି ଏକ ବଡ ଆକ୍ରମଣ କରିଛି ଋଷ ସେନା । ଗତକାଲି (ଶନିବାର) ୟୁକ୍ରେନର ଜାପୋରିଜିୟା ଅଞ୍ଚଳରେ ଏକାଧିକ ରକେଟ ମାଡ କରିଛି ଋଷ ସେନା । ଫଳରେ ପ୍ରାୟ ୧୭ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ପ୍ରାୟ ୪୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ବହୁ ଗୁରୁତର ମଧ୍ୟ ରହିଛନ୍ତି । ୟୁକ୍ରେନର ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ଏହି ଆକ୍ରମଣରେ ସାଧାରଣ ଜନତା ଓ ଜନବସତିକୁ ଟାର୍ଗେଟ କରାଯାଇଛି । ଜାପୋରିଜିଆର ମେୟର ଅନାଟୋଲି କୁର୍ତ୍ତାଏଭ କହିଛନ୍ତି ଏହି ରକେଟ ମାଡରେ ପ୍ରାୟ ୫ଟିରୁ ଅଧିକ ସାଧାରଣ ଜନତା ରହୁଥିବା ଆପାର୍ଟମେଣ୍ଟ ଧ୍ବଂସ ପାଇଯାଇଛି ।

ଏହାପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଗତକାଲି (ଶନିବାର) ଦେଶକୁ ସମ୍ବୋଧିତ କରିଥିଲେ । ଜାରି ରହିଥିବା ଯୁଦ୍ଧରେ ସେମାନେ ହାର ମାନିନାହାନ୍ତି ବରଂ ପୂର୍ବ ଡୋନେଟସ୍କ ଅଞ୍ଚଳର ୟୁକ୍ରେନ ସେନା ଓ ଋଷ ସେନା ମଧ୍ୟରେ ତୀବ୍ର ଲଢେଇ ଜାରି ରହିଥିବା ସେ ଦେଶବାସୀଙ୍କୁ ସୂଚନା ଦେଇଥିଲେ । ବର୍ତ୍ତମାନ ଜାରି ରହିଥିବା ସ୍ଥିତି ସବୁଠୁ କଷ୍ଟସାଧ୍ୟ ବୋଲି ଜେଲେନସ୍କି ନିଜ ସମ୍ବୋଧନରେ ଦେଶବାସୀଙ୍କୁ ଅବଗତ କରିଥିବା ଦେଖିବାକୁ ମିଳିଥିଲା ।

ତେବେ ପଶ୍ଚିମ ରାଷ୍ଟ୍ରଙ୍କ ସହଯୋଗରେ ୟୁକ୍ରେନ ଋଷକୁ ପ୍ରତିଜବାବ ଦେବାରେ ଲାଗିଥିବା ବେଳେ ଯୁଦ୍ଧ ଅବସାନ ହେବାର ସଙ୍କେତ ମିଳୁନି । ଗୋଟିଏ ପଟେ ସମସ୍ତ ଅନ୍ତର୍ଜାତୀୟ କଟକଣାକୁ ବେଖାତିର କରି ଋଷ ତାର ସାମରିକ ଅପରେସନ ଜାରି ରଖିଥିବା ବେଳେ ୟୁକ୍ରେନ ମଧ୍ୟ ପଶ୍ଚିମ ଦେଶ ସମୂହଙ୍କ ସାମରିକ ସହାୟତାରେ ମୁକାବିଲା ଜାରି ରଖିଛି । ତେବେ କିଛି ଦିନର ବ୍ୟବଧାନ ପରେ ପୁଣି ଏକ ବଡ ଧରଣର ଆକ୍ରମଣ କରିଛି ଋଷ । ଯେଉଁଥିରେ ୧୭ ସାଧାରଣ ୟୁକ୍ରେନବାସୀଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ ଦାବି କରିଛି ।

ୟୁରୋପ ମହାଦେଶର ପୂର୍ବରେ ଥିବା ୟୁକ୍ରେନ ନାଟୋର ସଦସ୍ୟତା ଗ୍ରହଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବା ପରେ ସୁରକ୍ଷା ନେଇ ଆଶଙ୍କା କରିଥିଲା ମସ୍କୋ । ୟୁକ୍ରେନ ନାଟୋରେ ସାମିଲ ନହେବା ପାଇଁ ଋଷ କୂଟନୈତିକ ଜରିଆରେ ଚାପ ପକାଇଥିଲା । ହେଲେ ୟୁକ୍ରେନ ପଶ୍ଚିମ ରାଷ୍ଟ୍ରଙ୍କ ପ୍ରତି ନିକଟତର ହେବା ଓ ନାଟୋ ସଦସ୍ୟତା ପାଇବାକୁ ଇଚ୍ଛା ପ୍ରକାଶ କରିବା ପରେ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ନିଷ୍ପତ୍ତି ନେଇଥିଲା ଋଷ ।