ବିଶ୍ବକୁ ମିଳିବ ଜିକା ଭ୍ୟାକ୍ସିନ୍ ! ପ୍ରଥମ କ୍ଲିନିକାଲ୍ ଟେଷ୍ଟ ଆରମ୍ଭ କଲା ବ୍ରିଟେନ୍‌

ଲଣ୍ଡନ,ଏଜେନ୍ସି: ଜିକା ଭ୍ୟାକ୍ସିନ୍‌ର ପ୍ରଥମ କ୍ଲିନିକାଲ୍ ଟେଷ୍ଟ ଆରମ୍ଭ କଲା ବ୍ରିଟେନ୍ । ପଶୁ ଉପରେ ଟିକାର ସକରାତ୍ମକ ପ୍ରଭାବ ପଡିବା ପରେ ବ୍ରିଟେନ ଏହି ଜିକା ଟିକାର ପ୍ରଥମ ମାନବ କ୍ଲିନିକାଲ ପରୀକ୍ଷା ଆରମ୍ଭ କରିଛି । ଲିଭରପୁଲ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହି ଟିକାର ପରୀକ୍ଷା କରାଯାଉଛି । ଯଦିଓ ୨୦୧୬ ଭଳି ବର୍ତ୍ତମାନ ଜିକାର କୌଣସି ଭୟାବହତା ନାହିଁ, ତଥାପି ମାନବ ସମାଜ ପାଇଁ ଏହି ଭାଇରସ୍ ବିପଦ ସୃଷ୍ଟି କରିଛି । ତେଣୁ ଟିକାର ଆବଶ୍ୟକତା ନିଶ୍ଚିତ ରୂପେ ରହିଛି ।

ଗର୍ଭବତୀ ମହିଳାମାନଙ୍କ ପାଇଁ ଜିକା ସଂକ୍ରମଣ ସବୁଠୁ ଅଧିକ ବିପଦ । କାରଣ ଏହି ଭୂତାଣୁ ଭ୍ରୁଣର ଜନ୍ମଗତ ତ୍ରୁଟି ସୃଷ୍ଟି କରିବାର କ୍ଷମତା ରହିଛି । ବର୍ତ୍ତମାନ ପ୍ରସ୍ତୁତ ହେଉଥିବା ଟିକା ଗର୍ଭାବସ୍ଥାରେ ବ୍ୟବହାର ପାଇଁ ଉପଯୁକ୍ତ ବୋଲି କୁହାଯାଉଛି । କାରଣ ଏହି ଟିକା ଅତ୍ୟଧିକ ପ୍ରତିରକ୍ଷା ଏବଂ ଦୀର୍ଘସ୍ଥାୟୀ ପ୍ରତିରକ୍ଷା ସୃଷ୍ଟି କରିବ ବୋଲି ଆଶା ରଖିଛନ୍ତି ବୈଜ୍ଞାନିକ । ପଶୁ ଉପରେ କରାଯାଇଥିବା ଅଧ୍ୟୟନରେ ଆଶା ଅନୁରୂପ ଫଳାଫଳ ମିଳିବା ପରେ ବର୍ତ୍ତମାନ ମାନବ ଉପରେ ପରୀକ୍ଷଣ ଆରମ୍ଭ ହୋଇଛି ।

ଯଦି ପରୀକ୍ଷଣ ସଫଳ ହୁଏ, ତେବେ ନୂତନ ଟିକା ଜିକା ଭାଇରସକୁ ମାତ୍ ଦେବାରେ ଏକ ଗେମ୍ ଚେଞ୍ଜର୍ ଭାବେ କାମ କରିବ । କାରଣ ବର୍ତ୍ତମାନ ସୁଦ୍ଧା ବିଶ୍ବରେ ଜିକାକୁ ମାତ୍ ଦେବା ପାଇଁ ଟିକାର ଉଦ୍ଭାବନ ହୋଇପାରିନାହିଁ । ସୂଚନା ଅନୁସାରେ ଜିକା ବିରୋଧରେ ଭାରତ ମଧ୍ୟ ଏକ ଟିକା ପ୍ରସ୍ତୁତ କରୁଛି । ହେଲେ ଏହାର ବ୍ୟବହାର ପାଇଁ ବର୍ତ୍ତମାନ ସୁଦ୍ଧା ଅନୁମତି ମିଳିପାରିନାହିଁ ।

ଜଣେ ଅନୁସନ୍ଧାନକାରୀ କ୍ରିଷନ୍ଥି ଶୁବ୍ରମଣିଅମ୍ କହିଛନ୍ତି ଯେ, “ଜିକାର ଭୟାବହତାକୁ ଭୁଲିଯିବା ଉଚିତ୍ ନୁହେଁ । ଯେଉଁ ଦେଶର ଲୋକଙ୍କର ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ଥାଏ, ସେହି ଦେଶରେ ରୋଗ ବ୍ୟାପିବାର ଆଶଙ୍କା ଅଧିକ । ଟିକା ପ୍ରସ୍ତୁତ ହୋଇଗଲେ ପରବର୍ତ୍ତୀ ସଂକ୍ରମଣ ସହ ଲଢିବା ସହଜ ହେବ ।” ଏହି ପରୀକ୍ଷଣ ପାଇଁ 18-59 ବର୍ଷ ମଧ୍ୟରେ ସୁସ୍ଥ ବ୍ୟକ୍ତିବିଶେଷଙ୍କୁ ନିଆଯାଇଛି । ଟିକାର ନିରାପତ୍ତା, ସହନଶୀଳତା ଏବଂ ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟି କରିବାର କ୍ଷମତାକୁ ଆକଳନ କରାଯିବ । ଏକକାଳୀନ ଚାରିଜଣ ଅଂଶଗ୍ରହଣକାରୀଙ୍କ ଗୋଷ୍ଠୀରେ ଏହି ଟିକାକୁ ମୂଲ୍ୟାଙ୍କନ କରାଯିବ । ମାନବ ଉପରେ ଟିକାର କି ପ୍ରଭାବ ରହୁଛି ତାହା ଆଗାମୀ ୯ ମାସ ମଧ୍ୟରେ ସ୍ପଷ୍ଟ ହୋଇଯିବ ।