ପ୍ରାଣୀଙ୍କ ଯତ୍ନ ଓ ସ୍ୱାସ୍ଥ୍ୟରକ୍ଷା ଉପରେ ନିର୍ଭର କରେ ଚାଷୀଙ୍କ ରୋଜଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,ଏନ୍‌ଏନ୍‌ଏସ୍‌: ଲୋକସେବା ଭବନରେ ଆୟୋଜିତ ହୋଇଯାଇଛି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ । ପ୍ରାଣୀଙ୍କ ଯତ୍ନ ଓ ସ୍ୱାସ୍ଥ୍ୟରକ୍ଷା ଉପରେ ଚାଷୀ ତଥା ଗରିବ ଲୋକଙ୍କର ରୋଜଗାର ନିର୍ଭର କରିଥାଏ । ତେଣୁ ପ୍ରାଣୀଙ୍କର ଉପଯୁକ୍ତ ଯତ୍ନ ଓ ଚିକିତ୍ସା ସୁବିଧାର ବିକାଶ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ଉଦ୍ୟମ ତଥା ବିଭାଗର ଅଧିକାରୀ ଓ କର୍ମଚାରୀଙ୍କର ନିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ”ପ୍ରାଣୀପାଳନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଯାହା କୃଷକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀମାନଙ୍କ ପାଇଁ ଏକ ଅଭିବୃଦ୍ଧି ଇଞ୍ଜିନ ଭାବରେ ପରିଗଣିତ ହୋଇଛି । ରାଜ୍ୟରେ ୫୪୧ଟି ପ୍ରାଣୀ ଚିକିତ୍ସାଳୟ ଏବଂ ୩୨୩୯ଟି ପ୍ରାଣୀସଂପଦ ସହାୟକ କେନ୍ଦ୍ର ମାଧ୍ୟମରେ କୃଷକ, ଉଦ୍ୟୋଗୀ ଏବଂ ପ୍ରାଣୀପାଳକଙ୍କୁ ପ୍ରାଣୀ ସ୍ୱାସ୍ଥ୍ୟ ସେବା, ପ୍ରଜନନ ଓ ପରାମର୍ଶ ସେବା ଯୋଗାଇ ଦିଆଯାଉଛି । ସେହିପରି ରାଜ୍ୟରେ ୩୧୪ଟି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ ମାଧ୍ୟମରେ ଚାଷୀଙ୍କ ଦ୍ୱାରଦେଶରେ ପ୍ରାଣୀ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ।”

”ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟର ଦୁଗ୍ଧ ଉତ୍ପାଦନ ପ୍ରାୟ ତିନିଗୁଣ ବୃଦ୍ଧି ପାଇଛି । ୨୦୦୦ ମସିହାରେ ଏହା ୮.୭୫ ଲକ୍ଷ ମେଟ୍ରିକ ଟନରୁ ୨୦୨୧ରେ ୨୩.୭୩ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି । ଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ମାଂସ ଉତ୍ପାଦନ ପ୍ରାୟ ୬ ଗୁଣ ବୃଦ୍ଧି ପାଇଛି । ୨୦୦୦ ମସିହାରେ ୩୮.୩୮ ହଜାର ମେଟ୍ରିକ ଟନରୁ ୨୦୨୧ ମସିହାରେ ଏହା ୨୧୩.୦୯ ହଜାର ମେଟ୍ରିକ ଟନକୁ ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ରାଜ୍ୟରେ ଅଣ୍ଡା ଉତ୍ପାଦନ ପ୍ରାୟ ତିନିଗୁଣ ବୃଦ୍ଧି ପାଇଛି । ୨୦୦୦ ମସିହାରେ ୭୩୦୧.୦୪ ଲକ୍ଷ ଅଣ୍ଡାରୁ ୨୦୨୧ ମସିହାରେ ୨୪୨୪୨.୬୭ ଲକ୍ଷ ଅଣ୍ଡାକୁ ବୃଦ୍ଧି ପାଇଛି ।”