ଘରୋଇ ମୈଦାନରେ ହାରିଲା ଦିଲ୍ଲୀ, ୯ ରନରେ ଜିତିଲା ହାଇଦ୍ରାବାଦ

ନୂଆଦିଲ୍ଲୀ,ଏଜେନ୍ସି: ଆଇପିଏଲ ୨୦୨୩ର ୪୦ ତମ ମ୍ୟାଚ ଆଜି ରୋମାଞ୍ଚକର ରହିଥିଲା । ଆଜିର ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ୯ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ ଦେଇଛି ସନରାଇଜର୍ସ ହାଇଦ୍ରାବାଦ । ଦିଲ୍ଲୀର ମିଚେଲ ମାର୍ଶ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଟସ ଜିତି ଆଜି ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଆସି ଓପନର ଯୋଡ଼ି ଦଳୀୟ ଖାତାରେ ୨୧ ରନ ଯୋଡ଼ି ଥିଲେ। ଏହାପରେ ମୟଙ୍କ ଅଗ୍ରୱାଲ ଆଉଟ ହୋଇଥିଲେ। ଏହାପରେ ରାହୁଲ ତ୍ରିପାଠୀ ମଧ୍ୟ ମାତ୍ର ୧୦ ରନ କରି ପାଭଲିୟନ ଫେରିଥିଲେ । ଅଭିଷେକ ଶର୍ମା ୩୬ ବଲରେ ୬୭ ରନ କରିଥିଲେ । ଯେଉଁଥିରେ ୧୨ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଏହାପରେ କ୍ଲାସିନ ୬ ନମ୍ବରରେ ବ୍ୟାଟିଂ କରିବାକୁ ଆସି ୨୭ ବଲରେ ଦୃତ ୫୩ ରନ କରିଥିଲେ। ଯାହା ଫଳରେ ଦଳୀୟ ସ୍କୋର ୧୯୭ରେ ପହଞ୍ଚି ପାରିଥିଲା। ଆଉ କୌଣସି ବ୍ୟାଟର ପ୍ରଭାବୀ ପାଳି ଖେଳି ପାରିନଥିଲେ।

ସେପଟେ ଦିଲ୍ଲୀ ପକ୍ଷରୁ ମିଚେଲ ମାର୍ଶ ୪ ଓଭରରେ ୨୭ ରନ ବ୍ୟୟରେ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟାମାନଙ୍କ ମଧ୍ୟରେ ଇଶାନ୍ତ ଶର୍ମା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ। ଏନରିକ ନୋର୍କିଆ ୪ ଓଭରରେ ୪୪ ରନ ଖର୍ଚ୍ଚ କରି ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ ।

୧୯୮ ଟାର୍ଗେଟ ହାସଲ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇ ଦିଲ୍ଲୀ ବ୍ୟାଟର ଫେଲ ମାରିଛନ୍ତି । ପ୍ରଥମ ଓଭରରେ ହିଁ ଭୁବନେଶ୍ବର କୁମାରଙ୍କ ଶିକାର ପାଲଟିଥିଲେ ଡେଭିଡ ୱାର୍ଣ୍ଣର । ଏହାପରେ ସଲ୍ଟ ଓ ମିଚେଲ ମାର୍ଶଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ହୋଇଥିଲା । ଯାହା ଦଳୀୟ ସ୍କୋରକୁ ଗତି ଦେଇଥିଲେ। ସଲ୍ଟ ୩୫ ବଲରୁ ୫୯ ଓ ମାର୍ଶ ୩୯ ବଲରୁ ୬୩ ରନ କରିଥିଲେ। ଏହି ଯୋଡ଼ି ଭାଙ୍ଗିବା ପରେ ଦିଲ୍ଲୀ ବ୍ୟାଟର ଅତି ସାଧାରଣ ପ୍ରଦର୍ଶନ କରିଥିଲେ । ଏହାରି ମଧ୍ୟର ଅକ୍ଷର ପଟେଲ ୧୪ ବଲରେ ଦୃତ ୨୯ ରନ କରି ଦଳୀୟ ସ୍କୋରକୁ ୧୮୮ରେ ପହଞ୍ଚାଇଥିଲେ । ବିଜୟଠାରୁ ୯ ରନ ପଛରେ ପଡ଼ି ଯାଇଥିଲା ଦିଲ୍ଲୀ ।

ହାଇଦ୍ରାବାଦ ପକ୍ଷରୁ ଆଜି ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା। ମୟଙ୍କ ମାର୍କଣ୍ଡେ ୪ ଓଭରରେ ୨୦ ରନ ଦେଇ ଦୁଇଟି ୱିକେଟ ନେଇଥିଲେ । ଭୁବନେଶ୍ବର କୁମାର, ଅକିଲ ହୁସେନ, ଟି ନଟରାଜନ ଓ ଅଭିଷେକ ଶର୍ମା ଗୋଟିଏ ଲେଖାଏଁ ସଫଳତା ପାଇ ଦଳକୁ ବିଜୟ ଦେଇଛନ୍ତି ।