କେରଳରେ ବାସହୀନ ଲୋକଙ୍କ ପାଇଁ ୧୫୦ ଘର ନିର୍ମାଣ କଲେ ୨ ଜଣ ଶିକ୍ଷକ

ଥିରୁଅନନ୍ତପୁରମ,ଏଜେନ୍ସି: ଦୁର୍ନୀତିଗ୍ରସ୍ତ ସମାଜରେ ଅଧିକାଂଶ ଲୋକ ଲୁଟିବାରେ ବ୍ୟସ୍ତ ରହୁଛନ୍ତି। ସରକାରୀ ଚାକିରିଆମାନେ ଠିକ ଭାବରେ କାମ ନ କରି ସର୍ବସାଧାରଣ ସଂପତ୍ତି ଲୁଟିବାରେ ବ୍ୟସ୍ତ। ରାଜନେତା ଯେତେବେଳେ କ୍ଷମତାକୁ ଆସିଯାଆନ୍ତି, ଜନତାଙ୍କ ସୁଖଦୁଃଖରେ ଭାଗ ନେବାକୁ ସମୟ ପାଆନ୍ତି ନାହିଁ। ଶିକ୍ଷକମାନେ ମଧ୍ୟ କମ ନୁହଁନ୍ତି। ସରକାର ଦେଉଥିବା ମଧ୍ୟାହ୍ନ ଭୋଜନ ମଧ୍ୟ ଖାଇବାକୁ ପଛାଉ ନାହାନ୍ତି। କିନ୍ତୁ କେରଳର ୨ ଜଣ ଶିକ୍ଷକଙ୍କ ପାଇଁ ଏହା ବ୍ୟତୀକ୍ରମ ହୋଇଛି।

କେରଳର କୋଚି ଜିଲ୍ଲା ଅନ୍ତର୍ଗତ ଥୋପୁମପେଡିରେ ୨ ଜଣ ଶିକ୍ଷକ ବାସହୀନଙ୍କ ପାଇଁ ୧୫୦ଟି ଘର ନିର୍ମାଣ କରିଛନ୍ତି। ଦୁଇ ଜଣ ଶିକ୍ଷକ ସେମାନଙ୍କର ବାସହୀନ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ପାଇଁ ଏହି ଗୃହ ନିର୍ମାଣ କରିଛନ୍ତି। କାରଣ ଗରିବୀ କାରଣରୁ ଏହି ୧୫୦ଟି ପରିବାର ନିଜସ୍ବ ଉଦ୍ୟମରେ ଘର କରିପାରି ନଥିଲେ।

ଜଣେ ଶିକ୍ଷୟିତ୍ରୀ ସି‌ଷ୍ଟର ଲିସି ଚକ୍କଲାକାଲ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ‘ହାଉସ ଚ୍ୟାଲେଞ୍ଜ ପ୍ରୋଜେକ୍ଟ’ ନାଁରେ ଆମେ ଅଭିଯାନ ଆରମ୍ଭ କରିଥିଲୁ। ଆମେ ଦେଖିଲୁ ଯେ, ଆମର ଅନେକ ଛାତ୍ରଛାତ୍ରୀଙ୍କର ଭଲ ଘର ଖଣ୍ଡିଏ ନାହିଁ। ଆମର ଯେଉଁ ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କର ନିଜସ୍ୱ ଜମି ଅଛି, କିନ୍ତୁ ଘର ନିର୍ମାଣ କରିବା ପାଇଁ ଟଙ୍କା ନାହିଁ, ସେମାନଙ୍କ ପାଇଁ ଘର ନିର୍ମାଣ କରିଛୁ। ଆମର ସ୍ୱପ୍ନ ଯେ, ସମସ୍ତଙ୍କ ପାଖରେ ଭଲ ଘର ହେଉ।