ଆଜିଠୁ ଆଇପିଏଲ୍‌-୧୪ର ୨ୟ ପର୍ଯ୍ୟାୟର ମ୍ୟାଚ, ଅଭିଯାନ ଆରମ୍ଭ କରିବେ ମୁମ୍ବାଇ-ଚେନ୍ନାଇ

ନୂଆଦିଲ୍ଲୀ,ଏଜେନ୍ସି: ଆଜିଠୁ ଆରମ୍ଭ ହେଉଛି ୨ୟ ପର୍ଯ୍ୟାୟ ଆଇପିଏଲ ମ୍ୟାଚ। ଏହାର ପ୍ରଥମ ଦିନରେ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଖେଳାଯିବ। ଏହି ଟି୨୦ ଲିଗ ଜରିଆରେ ଖେଳାଳିଙ୍କୁ ଟି୨୦ ବିଶ୍ୱକପ ପୂର୍ବରୁ ୟୁଏଇର ପରିସ୍ଥିତିକୁ ବୁଝିବାକୁ ସୁଯୋଗ ମିଳିବ। ସୂଚନାଯୋଗ୍ୟ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ୩୧ ଥର ମ୍ୟାଚ ଖେଳାଯାଇଛି। ମୁମ୍ବାଇ ୧୯ଥର ମ୍ୟାଚ ଜିତିଥିବା ବେଳେ ଚେନ୍ନାଇ ୧୨ଟି ମ୍ୟାଚ ଜିତିଛି।

ଭାରତରେ କୋଭିଡ-୧୯ର ୨ୟ ଲହର କାରଣରୁ ଆଇପିଏଲକୁ ଗତ ମେ’ ମାସରେ ସ୍ଥଗିତ କରିବାକୁ ପଡ଼ିଥିଲା। ସେହି ସମୟ ପର୍ଯ୍ୟନ୍ତ ମୋଟ ୨୯ଟି ମ୍ୟାଚ ଖେଳାଯାଇଥିଲା। ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ସଂକ୍ରମଣ ବୃଦ୍ଧି ହେବାରୁ ଟୁର୍ଣ୍ଣାମେଣ୍ଟକୁ ବାଧ୍ୟ ହୋଇ ସାମୟିକ ସମୟ ପାଇଁ ବନ୍ଦ କରିଦେଇଥିଲା।