ଡିଆରଡିଓ ତଥ୍ୟ ଲିକ୍ ମାମଲା: ଆଜିଠୁ ଆରମ୍ଭ ହେବ ମାରାଥନ୍ ଜେରା

ବାଲେଶ୍ୱର,ଏନ୍ଏନ୍ଏସ୍: ତଥ୍ୟ ଲିକ୍ ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଆଜିଠୁ ଏହି ଅଭିଯୁକ୍ତମାନଙ୍କ ରିମାଣ୍ଡ ଅବଧି ଆରମ୍ଭ ହେଉଥିବା ବେଳେ ମାରାଥନ୍ ଜେରା କରାଯିବ। ଅଭିଯୁକ୍ତ ମାନଙ୍କୁ କଟକ କ୍ରାଇମବ୍ରାଞ୍ଚ ଅଫିସରେ ଜେରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି। ତେବେ ଚାନ୍ଦିପୁର କ୍ଷେପଣସ୍ତ୍ର ପ୍ରତିଷ୍ଠାନରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ କରି ପାକିସ୍ତାନୀ ଓ ଅନ୍ୟ ବିଦେଶୀ ଏଜେଣ୍ଟଙ୍କୁ ବିକ୍ରି କରିବା ଅଭିଯୋଗରେ ଗତ ୧୫ ତାରିଖରେ ଆଇଟିଆରର ୫ ଜଣ ଠିକା କର୍ମଚାରୀଙ୍କୁ ଗିରଫ କରିଥିଲା ବାଲେଶ୍ୱର ପୁଲିସ।

ଗତକାଲି ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ରିମାଣ୍ଡ ଆବେଦନ କରାଯାଇଥିଲା। ଏହାକୁ ଅନୁମତି ଦେଇଥିଲେ ବାଲେଶ୍ୱର ଏସଡିଜେଏମ୍ କୋର୍ଟ। ୭ ଦିନିଆ ରିମାଣ୍ଡ ପାଇଁ ବାଲେଶ୍ୱର କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ। ଆଜି ଏହି ୭ ଦିନିଆ ରିମାଣ୍ଡ ଅବଧି ଆରମ୍ଭ ହୋଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୫ ଗଣ ଗିରଫ ହୋଇଥିବା ବେଳେ ଆଉ କିଛି ବ୍ୟକ୍ତି ଏଥିରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଏହି ପ୍ରସଙ୍ଗରେ ଅଧିକ ତଥ୍ୟ ହାସଲ ତଥା ପଚରାଉଚରା କରିବା ପାଇଁ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ନେଇଛି।