ନଇକୁ ଡେଇଁ ଦୁଇ ଭଉଣୀ ନିଖୋଜ ଘଟଣା, ୨୪ ଘଣ୍ଟା ପରେ ବି ଓଡ୍ରାପ ଟିମର ହାତ ଖାଲି

ସଇଁନ୍ତଳା,ଏନ୍ଏନ୍ଏସ୍: ବ୍ରିଜ ନିକଟରେ ସ୍କୁଟି ରଖି ନଇକୁ ଡେଇଁ ଦୁଇ ଭଉଣୀ ନିଖୋଜ ହୋଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଉକ୍ତ ଘଟଣାରେ କୌଣସି ତଥ୍ୟ ମିଳିନାହିଁ। ସୂଚନା ଅନୁସାରେ ଗତକାଲି ବଲାଙ୍ଗିର ଜିଲ୍ଲା ଗୁଡଭେଲା ଅଞ୍ଚଳର ବିଶିଷ୍ଠ ବ୍ୟବସାୟୀ ରାମ୍ବାତାର ଅଗ୍ରୱାଲଙ୍କ ଦୁଇ ଝିଅ ଅନମୋଲ ଅଗ୍ରୱାଲ(୨୨) ଓ ଆଞ୍ଚଲ ଅଗ୍ରୱାଲ(୧୯) ଘରୁ ଦିନ ୧୧ ଟାରେ ଏକ ସ୍କୁଟି (ଓଡ଼ି-୦୮ଜି-୧୪୨୦) ନେଇ ଘରୁ ବାହାରିଥିଲେ। ପରେ ତୁଷୁରା ତେଲ ନଦୀ ବ୍ରିଜ ଉପରେ ତାଙ୍କ ସ୍କୁଟି ଓ ଦୁଇ ହଳ ଚପଲ ଥିବା ଦେଖିବାକୁ ମିଳିଥିଲା। ସ୍କୁଟିରେ ଚାବି ଲାଗିଥିବାବେଳେ ପାଖରେ କେହିନଥିବାରୁ ଦୁଇ ଜଣ ଯୁବତୀ ନଦୀ ଭିତରକୁ ଡେଇଁପଡ଼ିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ପରେ ଗାଡି ନମ୍ବରକୁ ଯାଞ୍ଚ କରିବା ପରେ ତାଙ୍କ ପରିବାରକୁ ସୂଚନା ଦିଆଯାଇଥିଲା। ସମ୍ପୃକ୍ତ ଗାଡିଟି ଗୁଡଭେଳା ବ୍ଲକ୍ ସଦର ମହକୁମା ଅଧୀନସ୍ଥ ବ୍ୟବସାୟୀ ରାମ ଅବତାର ଅଗ୍ରୱାଲଙ୍କ ବୋଲି ଜଣାପଡ଼ିଥିଲା। ତେବେ ଦୁଇ ଭଉଣୀ ନିଜ ଘରେ ନିକଟସ୍ଥ ଏକ ଦୋକାନକୁ ଯାଉଥିବା କହି ଘରୁ ବାହାରିଥିଲେ। ତେବେ ସେମାନେ ତୁଷୁରା ତେଲ ନଦୀ ବ୍ରିଜ ଉପରକୁ କେମିତି ଆସିଲେ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ତୁଷୁରା ତେଲ ନଦୀର ପ୍ରଖର ସ୍ରୋତରେ ଉଭୟ ଭଉଣୀ ଭାସି ଯାଇଥିବା କହାଯାଉଛି। ଏହାକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ଅନମୋଲ ଏବଂ ଆଞ୍ଚଳ ଗୁଡଭେଳା ଅଞ୍ଚଳରେ ଜଣେ ମେଧାବୀ ଛାତ୍ରୀ ଭାବରେ ରହିଥିବା ବେଳେ ଉଭୟ ଦଶମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଅନମୋଲ ଉଚ୍ଚ ଶିକ୍ଷା ପାଇଁ ବାହାରେ ରହିଥିବା ବେଳେ ଆଞ୍ଚଳ ମଧ୍ୟ ପିଜି କରୁଛନ୍ତି। ତେବେ ଏହି ଘଟଣାକୁ ନେଇ ଗତକାଲି ଠାରୁ ତୁଷୁରା ପୁଲିସ, ତୁଷୁରା ଦମକଳ ଏବଂ ଓ଼ଡ୍ରପ ଟିମ ନଦୀ ଭିତରେ ଖୋଜିବା ପ୍ରକ୍ରିୟା ଜାରି ରଖିଛନ୍ତି। ତେଲ ନଦୀ ଭିତରେ ଦୀର୍ଘ ୮ରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଖୋଜା ଖୋଜି ସରିଥିଲେ ହେଁ ଉଭୟଙ୍କର କୌଣସି ସନ୍ଧାନ ମିଳିନାହିଁ।